41.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ଯୁଦ୍ଧର ହୁଙ୍କାର; ଇରାନ୍ ନିୟନ୍ତ୍ରଣରେ ଇସ୍ରାଏଲ ଜାହାଜ

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ହୁଙ୍କାର; ଇରାନ୍ ନିୟନ୍ତ୍ରଣରେ ଇସ୍ରାଏଲ ଜାହାଜ

ତେଲ୍ ଆବିଭ୍ : ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚଛି । ଶନିବାର ୟୁଏଇ ଉପକୂଳରୁ ଇରାନ୍ ନୌସେନା ଇସ୍ରାଏଲ ସହ ଜଡ଼ିତ ଏକ ପଣ୍ୟବାହୀ ଜାହାଜକୁ ଜବତ କରିବା ପରେ ଉତ୍ତେଜନା ପ୍ରକାଶପାଇଛି । ଜାହାଜକୁ ଇରାନୀ ନୌସେନା ନିଜ ଅଧୀନରେ ଥିବା ଜଳସୀମାକୁ ନେଇଯାଇଛି । ସେଥିରେ ୨୫ଜଣ କ୍ରୁ ସଦସ୍ୟ ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୭ ହେଉଛନ୍ତି ଭାରତୀୟ । କଣ୍ଟେନର ଶିପ୍ ଏମ୍‌ଏସ୍‌ସି ଆରିସ୍‌କୁ ଇରାନ୍ ସେନା ହେଲିକପ୍ଟର ଅପରେସନ ମାଧ୍ୟମରେ ଷ୍ଟେଟ୍ ଅଫ୍ ହୋରମୁଜ୍‌ରେ ସିଜ୍ କରିଥିôବା ତେହରାନ ଗଣମାଧ୍ୟମ କହିଛି । ଭାରତ ପକ୍ଷରୁ କୁହାଯାଇଛି ଯେ ଆମେ କାର୍ଗୋ ଶିପ୍ ‘ଏମ୍‌ଏସ୍‌ସି ଆରିସ୍‌’କୁ ଇରାନ୍ ନିଜ ଅଧୀନକୁ ନେଇଥିବା ଖବର ପାଇଛୁ । ଜାଣିବାକୁ ପାଇଛୁ ଯେ ଉକ୍ତ ଜାହାଜରେ ୧୭ଭାରତୀୟ ରହିଥିଲେ । ଦୂତାବାସ ଚ୍ୟାନେଲ ଦ୍ୱାରା ଇରାନ୍ ଅଧିକାରୀଙ୍କୁ ଯୋଗାଯୋଗ କରିଛୁ । ଉଭୟ ତେହରାନ ଓ ନୂଆଦିଲ୍ଲୀ; ଭାରତୀୟଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ନିଶ୍ଚିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ । ଇଟାଲିଅନ୍‌-ସ୍ୱିସ୍ ଗ୍ରୁପ ଏମ୍‌ଏସ୍‌ସି ଜାହାଜ ଜବତ ଘଟଣାକୁ ନିଶ୍ଚିତ କରିଛି ।

ଘଟଣା ପରେ ଇସ୍ରାଏଲ ଆର୍ମି କହିଛି ଯେ ଇରାନକୁ ପରିଣାମ ଭୋଗିବାକୁ ପଡ଼ିବ । ସ୍ଥିତିକୁ ଆହୁରି ଖରାପ କରିବା ପାଇଁ ଇରାନ୍‌ର ଏପରି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ । ଇରାନ୍ ଗଣମାଧ୍ୟମ କହିଛି, ହେଲିବର୍ଣ୍ଣ(ହେଲିକପ୍ଟର) ଅପରେସନ ଜରିଆରେ‘ଏମ୍‌ଏସ୍‌ସି ଆରିସ୍‌’ କଣ୍ଟେନର ଶିପ୍‌କୁ ଜବତ କରାଯାଇଛି । ନୌସେନାର ସ୍ପେଶାଲ ଫୋର୍ସର ଗାର୍ଡମାନେ ଜାହାଜକୁ ଜବତ କରିଛନ୍ତି । ବିଶ୍ୱ ବାଣିଜ୍ୟ କାରବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ହୋରମୁଜ୍ ନିକଟରୁ ଜାହାଜ ଜବତ କରାଯାଇଛି । ଏବେ ଜାହାଜଟି ଇରାନ ନିୟନ୍ତ୍ରଣରେ ରହିଛି । ସମୁଦ୍ର ସୁରକ୍ଷା ସହ ଜଡ଼ିତ ଦୁଇଟି ସଂସ୍ଥା ପୂର୍ବରୁ କହିଥିଲେ ଯେ ଇରାନ୍ ସରକାର ୟୁଏଇ ଉପକୂଳରୁ ଗୋଟିଏ ପଣ୍ୟବାହୀ ଜାହାଜକୁ ସିଜ୍ କରି ନେଇଛନ୍ତି । ଫୁଜାଇରାହ ଉପକୂଳରେ ଏପରି ଘଟଣା ଘଟିଥିବା ସଂସ୍ଥା ଦ୍ୱୟ କହିଥିଲେ ମଧ୍ୟ ଜାହାଜ ସମ୍ପର୍କରେ ଅଧିକ ତଥ୍ୟ ମିଳିନଥିଲା । ହେଲେ ଇରାନ ଗଣମାଧ୍ୟମ ପୂରା ଘଟଣାକୁ ନିଶ୍ଚିତ କରିଛି । ଏକ ଜାହାଜ ଟ୍ରାକିଂ ୱେବ୍‌ସାଇଟ୍ କହିଛି ଯେ ‘ଏମ୍‌ଏସ୍‌ସି ଆରିସ୍‌’ରେ ପର୍ତ୍ତୁଗାଲର ପତାକା ଲାଗିଥିଲା । ଜାହାଜର ଶେଷ ଠିକଣା ଗଲ୍ଫରେ ହିଁ ଥିଲା ।

ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିପାରେ ଇରାନ୍ । ଏଥିପାଇଁ ଇରାନ୍ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ଆଲର୍ଟ ମୋଡ୍‌ରେ ରଖିଛି । ମୁକାବିଲା ପାଇଁ ଇସ୍ରାଏଲ ପ୍ରସ୍ତୁତ ଥିବା କହୁଥିଲେ ହେଁ ଏବେ ଆମେରିକା ସହଯୋଗୀ ଦେଶର ସହାୟତା ପାଇଁ ଆଗେଇ ଆସିଛି । ଇସ୍ରାଏଲ ଉପରେ ଆକ୍ରମଣ ଭୟ ସୃଷ୍ଟି ହୋଇଥିବାରୁ ଆମେରିକା ପକ୍ଷରୁ ସହାୟତା ପାଇଁ ଯୁଦ୍ଧ ଜାହାଜ ପଠା ଯାଇଛି । ଇରାନ୍ ଖୋଲାଖୋଲି ଭାବେ ଆମେରିକାକୁ ପୂରା ବିବାଦରୁ ଦୂରେଇ ରହିବାକୁ କହିଥିଲା । କିନ୍ତୁ ଆମେରିକା ଏବେ ଇସ୍ରାଏଲର ସହାୟତା ପାଇଁ ଆଗକୁ ଆସିଛି । ଏପରି ସ୍ଥିତିରେ ଯଦି ଇରାନ୍ କ୍ଷେପଣାସ୍ତ୍ର ମାଡ଼ କରେ, ତା’ହେଲେ ମଧ୍ୟପ୍ରାଚ୍ୟରେ ସାଂଘାତିକ ସ୍ଥିତି ସୃଷ୍ଟିହେବ ।

କାରଣ ଏବେ ଇସ୍ରାଏଲ ସେନା ଗାଜାରେ ଯୁଦ୍ଧ କରୁଛନ୍ତି । ସେହିପରି ରୁଷ ଓ ୟୁକ୍ରେନ ମଧ୍ୟରେ ନ୍ଦୁଇବର୍ଷ ହେଲା ଲଢ଼େଇ ଚାଲିଛି । ତେଣୁ ଆଉ ଏକ ଯୁଦ୍ଧ ପରିସ୍ଥିତି ସମସ୍ତଙ୍କୁ ଡରାଇବା ଆରମ୍ଭ କରିଛି । ଇରାନ୍ ଆକ୍ରମଣ କରିବ ବୋଲି ଖବର ପାଇବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବୃତି ସାମ୍ନାକୁ ଆସିଛି । ଏଥିରେ ସେ ଇରାନ୍‌କୁ ଆକ୍ରମଣ ଠାରୁ ଦୂରେଇ ରହିବାକୁ କହିଛନ୍ତି । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଇରାନ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଦ୍ୱାରା ଇସ୍ରାଏଲ ଉପରେ ରବିବାର ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ । ଇରାନ ପାଖରେ ଅନେକ ବଲାଷ୍ଟିକ ଓ କ୍ରୁଜ ମିସାଇଲ ରହିଛି, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିମି । କାଳେ ଇରାନ୍ ବଡ଼ଧରଣର ହମ୍‌ଲା କରିବ, ସେଥିପାଇଁ ଆମେରିକା ଅତିରିକ୍ତ ମିଲଟାରୀ ଆସେଟ୍ସ ଇସ୍ରାଏଲର ସୁରକ୍ଷା ପାଇଁ ପଠାଇଛି । ଆମେରିକା ପକ୍ଷରୁ ମିସାଇଲ ବିଧ୍ୱଂସୀ ୨ଟି ଯୁଦ୍ଧ ଜାହାଜ ଇଷ୍ଟର୍ଣ୍ଣ ମେଡିଟରାନିୟନ୍ ସାଗରରେ ମୁତୟନ କରାଯାଇଛି ।

ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ଏହି ଯୁଦ୍ଧ ଜାହାଜ ଧ୍ୱଂସ କରିବାରେ ସକ୍ଷମ । ବିବାଦ ସମାଧାନ ପାଇଁ ଆମେରିକା ମଧ୍ୟ କୂଟନୀତିକ ଚ୍ୟାନେଲରେ ପ୍ରୟାସ ଆରମ୍ଭ କରିଛି । ସ୍ୱିଜରଲ୍ୟାଣ୍ଡ ସହାୟତାରେ ଆମେରିକା ପକ୍ଷରୁ ଇରାନ୍‌କୁ ବୁଝାଇବାକୁ ଚେଷ୍ଟା କରାଯାଉଛି । ସେହିପରି ସାଉଦି ଆରବ, କତାର ଓ ଅନ୍ୟ କିଛି ସରକାରଙ୍କ ସହ ମଧ୍ୟ ଆମେରିକା ଯୋଗାଯୋଗରେ ରହିଛି । ବିପଦ ବଢ଼ୁଥିବାରୁ ଆମେରିକା ସରକାର ସେଣ୍ଟ୍ରାଲ କମାଣ୍ଡ ଜେନେରାଲ ମାଇକେଲ କୁରିଲ୍ଲାଙ୍କୁ ତୁରନ୍ତ ଇସ୍ରାଏଲ ପଠାଇଛନ୍ତି । ଉଭୟ ଇସ୍ରାଏଲ ଓ ଇରାନ୍‌ରେ ରହୁଥିବା ନାଗରିକଙ୍କୁ ଭାରତ ସମେତ ୬ଟି ଦେଶ – ଆମେରିକା, ବ୍ରିଟେନ୍‌, ରୁଷ୍‌, ଫ୍ରାନ୍ସ ଏବଂ ଜର୍ମାନୀ ସତର୍କତା ଜାରି କରିଛନ୍ତି । ଏଥିରେ ନାଗରିକମାନଙ୍କୁ ଇରାନ୍ ଏବଂ ଇସ୍ରାଏଲ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏପ୍ରିଲ ୧ରେ ସିରିଆର ଡାମସ୍‌କସରେ ଥିବା ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଇରାନର ସୁପ୍ରିମ୍ ଲିଡର ଆୟାତୋଲ୍ଲା ଅଲୀ ଖାମେନି ଏଥିପାଇଁ ଇସ୍ରାଏଲ ଯେମିତି ହେଲେ ବି ଦଣ୍ଡ ପାଇବ ବୋଲି କହି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking