ଗୁଆହାଟୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ମଣିପୁରର ଲୋକମାନଙ୍କୁ ଗୁରୁବାର ନିବେଦନ କରିବା ସହିତ ସମାଜର ସମସ୍ତ ବର୍ଗ ପାଇଁ ନ୍ୟାୟ ସୁନିଶ୍ଚିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆସାମର କାମରୂପ ଜିଲ୍ଲା ଚାଙ୍ଗସାରୀ ଅଞ୍ଚଳରେ ସ୍ଥାପନ ହେବାକୁ ଥିବା ନାସ୍ନାଲ୍ ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ)ର ଦଶମ ଜାତୀୟ ପରିସରର ଶିଳାନ୍ୟାସ କରିବା ଅବସରରେ ଶାହ କହିଛନ୍ତି, ବିବାଦର ସମାଧାନରେ ସହାୟତ ପାଇଁ ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗସ୍ତ କରିବେ । ସେ କହିଛନ୍ତି, ମୁଁ ଖୁବ୍ଶୀଘ୍ର ମଣିପୁର ଯିବି ଏବଂ ସେଠାରେ ତିନିଦିନ ଅବସ୍ଥାନ କରିବି । କିନ୍ତୁ ଏହା ପୂର୍ବରୁ ଦୁଇ ଗୋଷ୍ଠୀ ନିଜ ମଧ୍ୟରେ ଥିବା ଅବିଶ୍ୱାସ ଏବଂ ସନ୍ଦେହ ଦୂର ସହିତ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ସୁନିଶ୍ଚିତ କରିବା ଉଚିତ । ସେହିପରି ସଂଘର୍ଷରେ ପୀଡ଼ିତ ସମସ୍ତଙ୍କୁ ନ୍ୟାୟ ମିଳିବା କେନ୍ଦ୍ର ସରକାର ସୁନିଶ୍ଚିତ କରିବେ ବୋଲି ସେ କହିଛନ୍ତି ।
ଏନ୍ଏଫ୍ଏସ୍ୟୁର ପରିସରର ସ୍ଥାପନା ସମ୍ପର୍କରେ ଶାହ କହିଛନ୍ତି, ଏଠାରୁ ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ରୋଜଗାର ଅବସର ସୁନିଶ୍ଚିତ କରାଯିବ । ଛଅବର୍ଷରୁ ଊର୍ଦ୍ଧ୍ୱ କାରାଦଣ୍ଡାଦେଶ ଥିବା ଅପରାଧଗୁଡ଼ିକ ପାଇଁ ଫରେନ୍ସିକ୍ ବିଶେଷଜ୍ଞଙ୍କ ଦ୍ୱାରା ଘଟଣାସ୍ଥଳ ପରିଦର୍ଶନ ଅନିବାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ସରକାର ଆଇନରେ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି । ଏନ୍ଏଫ୍ଏସ୍ୟୁ ପରିସରର ପ୍ରଥମ ଚରଣ ୨୦୨୬ରେ ଏବଂ ଦ୍ୱିତୀୟ ଚରଣ ୨୦୩୦ରେ ପୂରା ହେବାର ଆଶା ରହିଛି । ତେବେ ଚଳିତ ବର୍ଷ ଗୁଆହାଟି ମେଡିକାଲ୍ କଲେଜ ହସ୍ପିଟାଲ୍ (ଜିଏମ୍ସିଏଚ୍)ରେ ଥିବା ଅସ୍ଥାୟୀ ପରିସରରେ କ୍ଲାସ୍ ଆରମ୍ଭ ହେବ । ଅମିତ ଶାହ ସେଣ୍ଟ୍ରାଲ୍ ଫରେନ୍ସିକ୍ ସାଇନ୍ସ ଲାବୋରାଟେରୀ (ସିଏଫ୍ଏସ୍ଏଲ୍) ସହିତ ସଂଯୁକ୍ତ ଭାବେ ବିକଶିତ ଆସାମ ପୁଲିସର ‘ସେବା ସେତୁ’ ନାମକ ଏକ ୱେବ୍ ପୋର୍ଟାଲ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି । କୌଣସି ଥାନାକୁ ନଯାଇ ଏଫ୍ଆଇଆର୍ ରୁଜୁ, ନିଖୋଜ ଅଭିଯୋଗ କରିବା ସହିତ ପେଇଙ୍ଗ୍ ଗେଷ୍ଟ୍, ଘରୋଇ ସହାୟକ ଏବଂ ଭଡ଼ାଟିଆଙ୍କ ସତ୍ୟାପନ ପାଇଁ ଫର୍ମ ପୂରଣ କରିବାରେ ଏହି ପୋର୍ଟାଲ୍ ସକ୍ଷମ ହେବ ।