40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେଜ୍ରିୱାଲଙ୍କ ସମ୍ପର୍କରେ ବୟାନ ଦେଲା ଆମେରିକା; କୂଟନୀତିଜ୍ଞଙ୍କୁ ଡାକି ଅସନ୍ତୋଷ ଝାଡ଼ିଲା ଭାରତ

କେଜ୍ରିୱାଲଙ୍କ ସମ୍ପର୍କରେ ବୟାନ ଦେଲା ଆମେରିକା; କୂଟନୀତିଜ୍ଞଙ୍କୁ ଡାକି ଅସନ୍ତୋଷ ଝାଡ଼ିଲା ଭାରତ

ନୂଆଦିଲ୍ଲୀ: ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଆମେରିକା ବୟାନ ଦେବା ଘଟଣାକୁ ଭାରତ ସରକାର ସହଜରେ ହଜମ କରି ପାରି ନାହାନ୍ତି । କେଜ୍ରିୱାଲଙ୍କ କ୍ଷେତ୍ରରେ ନିରପେକ୍ଷ ଓ ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ଆପଣା ଯାଉ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଥିଲେ । ଏହାକୁ ଭାରତ ସରକାର ଜୋରଦାର ବିରୋଧ କରିଛନ୍ତି । ଏଥିସହ ଭାରତରେ ଅବସ୍ଥାପିତ ଆମେରିକା ମିଶନର କାମଚଳା ଉପ ମୁଖ୍ୟ ଗ୍ଲୋରିଆ ବେରବେନାଙ୍କୁ ଡାକି ଉକ୍ତ ବୟାନର ପ୍ରତିବାଦ କରିଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟ ପ୍ରଥମେ ଗ୍ଲୋରିଆଙ୍କୁ ସମନ କରିଥିଲା । ସେ ମନ୍ତ୍ରଣାଳୟରେ ପହଞ୍ଚିବା ପରେ ତାଙ୍କୁ ୪୦ ମିନିଟ କାଳ ଅଫିସ ଭିତରେ ବସାଇ ରଖା ଯାଇଥିଲା । ଏହି ସମୟରେ ଭାରତ ସରକାର ବିଧିବଦ୍ଧ ଭାବେ ଆମେରିକାର କେଜ୍ରିୱାଲଙ୍କ ସମ୍ପର୍କିତ ବୟାନକୁ ବିରୋଧ କରାଯାଇଛି । ୪୦ ମିନିଟ ପରେ ଗ୍ଲୋରିଆ ମନ୍ତ୍ରଣାଳୟରୁ ବାହାରି ଯାଇଥିଲେ । ଏହାପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି ।
ଏଥିରେ କୁହାଯାଇଛି ଯେ ବିଭିନ୍ନ ରାଷ୍ଟ୍ର ଅନ୍ୟ ଦେଶଗୁଡ଼ିକର ସାର୍ବଭୌମତ୍ୱ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରତି ସମ୍ମାନ କରିବା ଦରକାର । ବିଶେଷ କରି ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ରାଷ୍ଟ୍ରଗୁଡ଼ିକ ଏଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ । ଅନ୍ୟଥା ଏହା ଗୋଟିଏ ଅସ୍ୱାଭାବିକ ଉଦାହରଣ ସୃଷ୍ଟି କରିବ । ଭାରତର ଆଇନ ପ୍ରକ୍ରିୟା ଗୋଟିଏ ସ୍ୱାଧୀନ ନ୍ୟାୟିକ ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ । ଏହା ସମୟ ଉପଯୋଗୀ ଓ ସଠିକ ଟ୍ରାଏଲ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାକୁ ନେଇ ମତ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ କହିଛି ।
ମଙ୍ଗଳବାର ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଥିଲେ ଯେ କେଜ୍ରିୱାଲଙ୍କ ଗିରଫ ଉପରେ ଆମେରିକା ସରକାର ନଜର ରଖିଛନ୍ତି । ଆମେ ଭାରତ ସରକାରଙ୍କୁ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଗୋଟିଏ ନିରପେକ୍ଷ, ସ୍ୱଚ୍ଛ ଓ ସମୟ ସାପେକ୍ଷ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଉଛୁ । ଆମର ଆଶା ସବୁ କିଛି ଆଇନ ଅନୁଯାୟୀ ହେବ ବୋଲି ମୁଖପାତ୍ର ଜଣଙ୍କ କହିଥିଲେ ।
ଏହାପୂର୍ବରୁ ଜର୍ମାନୀ ସରକାର ମଧ୍ୟ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମତ ରଖିଥିଲେ । ଜର୍ମାନୀ ସରକାର କହିଥିଲେ ‘କେଜ୍ରିୱାଲ ଅନ୍ୟ ସାଧାରଣ ଭାରତୀୟ ନାଗରିକଙ୍କ ଭଳି ନିରପେକ୍ଷ ଶୁଣାଣିର ହକଦାର । ଆମେ ମାନୁଛୁ ଓ ଆଶା କରୁଛୁ ଯେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଓ ଗଣତନ୍ତ୍ରର ମୂଳ ନୀତିଗୁଡ଼ିକୁ ମଧ୍ୟ ଏହି ମାମଲାରେ ବିଚାରକୁ ନିଆଯିବ ।”
ଏହାକୁ କିନ୍ତୁ ଭାରତ ସରକାର ସହଜରେ ହଜମ କରି ନଥିଲେ । ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତକୁ ବୈଦେଶିକ ମନ୍ତ୍ରଣାଳୟ ସମନ କରିବା ସହ ବୟାନକୁ ବିରୋଧ କରିଥିଲା । ଗତ ସପ୍ତାହରେ ଇଡି ଅଧିକାରୀମାନେ କେଜ୍ରିୱାଲଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲେ । ଏହାପରେ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା । କୋର୍ଟ ତାଙ୍କୁ ଗୁରୁବାର ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking