ଭୁବନେଶ୍ୱର : ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ପରେ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଯାଇଛି । ଯାହାକୁ ନେଇ ସାଧାରଣ ମହିଳାଙ୍କ ବେଶ ଖୁସି ଥିବା ଜଣାପଡିଛି । ସୁଭଦ୍ରା ସହ ଅନ୍ୟାନ୍ୟ ଜନମଙ୍ଗଳକାରୀ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ରଖି କହିଛନ୍ତି ଯେ ଓଡିଶା ବାସୀଙ୍କୁ ଆଗୁଆ ଦଶହରାର ଶୁଭେଚ୍ଛା । ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା କରିବାର ସୁଯୋଗ ମିଳେ । ବିଜେପି ସରକାର ଶହେ ଦିନ ଭିତରେ ଦେଇଥିବା ଅନେକ ପ୍ରତିଶୃତି ପାଳନ କରିଛି । ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଲା ।୩୦ ଲକ୍ଷରୁ ଅଧିକ ପରିବାରକୁ ଆଜି ପକ୍କା ଘର ଦିଆଗଲା । ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି । ଚାଷୀମାନଙ୍କ ପାଇଁ ବି ବିଗତ ଶହେ ଦିନରେ ବଡ଼ ନିଷ୍ପତ୍ତି ହୋଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରପ୍ତାନୀ ଶୁଳ୍କ ହ୍ରାସ କରାଯାଇଛି । ବିଭିନ୍ନ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି । ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବାକୁ ଯାଉଛି । ସୁଭଦ୍ରା ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ । ସୁଭଦ୍ରା ଯୋଜନା ମା ଓ ଭଉଣୀମାନଙ୍କୁ ସଶକ୍ତ କରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବଦ୍ଧର୍ନ ସିଂ ଦେଓ ଓ ଅନ୍ୟାନ୍ୟ ମନ୍ତ୍ରୀମଣ୍ଡଳ ମଧ୍ୟ ଉପସ୍ଥିତି ରହିଥିଲେ ।