ଝାଡ଼ଖଣ୍ଡ: ଯେଉଁ ପୁଲିସ ଉପରେ ସୁରକ୍ଷାର ଦାୟିତ୍ୱ, ସେହି ପୁଲିସ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଝାଡ଼ଖଣ୍ଡର ଏକ ଥାନା ପରିସରରେ ଜଣେ ୨୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାରେ ଥାନା ଅଧିକାରୀଙ୍କ ସମେତ ୧୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ୩ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଥିବା ବେଳେ ମାମଲାର ତଦନ୍ତ କରୁଛି ଏସ୍ଆଇଟି । ଅନ୍ୟପଟେ ଏହି ଘଟଣାକୁ ନେଇ ହେମନ୍ତ ସୋରେନ ସରକାରଙ୍କୁ ଘେରିଛି ବିଜେପି । ଝାଡ଼ଖଣ୍ଡର ସରାଇକେଲା-ଖରସାୱାଁ ଜିଲ୍ଲାର ଗମ୍ହାରିଆ ଥାନାରେ ଘଟିଛି ଏହି ସାଂଘାତିକ ଘଟଣା । ଅଭିଯୋଗ ଅନୁସାରେ, ଅକ୍ଟୋବର ୨୯ ତାରିଖ ରାତିରେ ଜଣେ ୨୦ ବର୍ଷୀୟା ମହିଳାଙ୍କ ସହ ଥାନା ପରିସରରେ ଦୁଷ୍କର୍ମ ହୋଇଥିଲା ।
ସୂଚନା ଅନୁସାରେ, ସ୍ୱାମୀଙ୍କ ସହ ଝଗଡ଼ା ପରେ ମହିଳା ଜଣକ ଘରୁ ବାହାରି ଯାଇଥିଲେ। ସ୍ୱାମୀଙ୍କ ମାଡ଼ ଭୟରେ ସେ ଜଣେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇ ପୁଲିସକୁ ଫୋନ୍ କରିଥିଲେ । ଖବର ପାଇ ଏକ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଥିଲା । ଥାନାରେ ବିଶ୍ରାମ ନେବା ପାଇଁ ତାଙ୍କୁ ଏକ କୋଠରୀ ଦିଆଯାଇଥିଲା । ହେଲେ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେହି କୋଠରୀକୁ ଜଣେ ୱାୟାରଲେସ୍ ଅପରେଟର ଆସି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କୁ ସହାୟତା କରିନଥିବା ଅଭିଯୋଗ ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି ।
ଘଟଣାର ତଦନ୍ତ ପାଇଁ ସରାଇକେଲା-ଖରସାୱାଁ ଏସ୍ପି ମନୋଜ ସ୍ୱର୍ଗିୟାରୀ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍ଆଇଟି ଗଠନ କରିଥିଲେ। ଏସ୍ଆଇଟି ତଦନ୍ତ ପରେ ଥାନା ଅଧିକାରୀଙ୍କ ସମେତ ୧୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୱାୟାରଲେସ୍ ଅପରେଟରଙ୍କ ସମେତ ୩ ଜଣ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ନିଲମ୍ବିତ ସବ୍-ଇନ୍ସପେକ୍ଟର ମନୋଜ ସାହୁ ଏବଂ କନଷ୍ଟେବଳ ସନ୍ତୋଷ ରାୟ ମଧ୍ୟ ଗିରଫ ହୋଇଛନ୍ତି । ଏପଟେ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଛି । ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ତଥା କୋଡରମାର ବିଜେପି ବିଧାୟିକା ନୀରା ଯାଦବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ୍ କରିଛନ୍ତି ।
ତାଙ୍କ କହିବା ଅନୁସାରେ, ଏହା କେବଳ ଜଣେ ମହିଳାଙ୍କ ସହ ଘଟିଥିବା ଅପରାଧ ନୁହେଁ, ବରଂ ରାଜ୍ୟର ପୁଲିସ ବ୍ୟବସ୍ଥା ଏବଂ ସରକାରଙ୍କ ଉତ୍ତରଦାୟିତ୍ୱ ଉପରେ ବଡ଼ ପ୍ରଶ୍ନଚିହ୍ନ । ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଏବେ ସମସ୍ତଙ୍କ ନଜର ଏସ୍ଆଇଟି ତଦନ୍ତ ଉପରେ । ପୁଲିସ ଥାନା ଭଳି ସୁରକ୍ଷିତ ସ୍ଥାନରେ ଏଭଳି ଅଭିଯୋଗ ଆସିବା ପରେ ମହିଳାଙ୍କ ସୁରକ୍ଷା ଏବଂ ପୁଲିସ ବ୍ୟବସ୍ଥାର ଉତ୍ତରଦାୟିତ୍ୱକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସହ ତଦନ୍ତ କେତେ ନିରପେକ୍ଷ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।









