31.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଅଖିଳେଶଙ୍କ ରାଲିରେ ପୁଣି ଦଳାଚକଟା; ଚୌକି ଫିଙ୍ଗାଫିଙ୍ଗି ସହବ୍ୟାରିକେଡ୍ ଭାଙ୍ଗିଲେ ସମର୍ଥକ-କର୍ମୀ

ଅଖିଳେଶଙ୍କ ରାଲିରେ ପୁଣି ଦଳାଚକଟା; ଚୌକି ଫିଙ୍ଗାଫିଙ୍ଗି ସହବ୍ୟାରିକେଡ୍ ଭାଙ୍ଗିଲେ ସମର୍ଥକ-କର୍ମୀ

ଆଜମଗଡ: ପୁଣିଥରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନିଜ ସମର୍ଥକ ଏବଂ ପ୍ରଶଂସକ ମାତ୍ରାଧିକ ଉତ୍ସାହ, ଅସମ୍ଭାଳ ଭିଡ ଏବଂ କର୍ମୀଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଲାଲଗଞ୍ଜ ଲୋକସଭା ଆସନରେ ନିର୍ବାଚନ ଲଢ଼ୁଥିବା ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ପ୍ରଚାର କରିବା ପାଇଁ ମଙ୍ଗଳବାର ଆଜମଗଡର ସରାୟମିର ସହର ଉପକଣ୍ଠରେ ଏକ ନିର୍ବାଚନୀ ରାଲିର ଆୟୋଜନ କରାଯାଇଥିବା ବେଳେ ଏଥିରେ ଅଖିଳେଶ ଯୋଗଦେବାର ଥିଲା । ତେବେ ଅଖିଳେଶ ଏଠାରେ ପହଞ୍ôଚବାମାତ୍ରେ ହିଁ ଭିଡ ଅନିୟନ୍ତ୍ରିତ ହୋଇପଡିଥିଲା । ପ୍ରକାଶ, ୨୦୦୪ରୁ ଲାଲଗଞ୍ଜ ଆସନ ଜିତିବା ପାଇଁ ଅଖିଳେଶ ଏବଂ ତାଙ୍କ ଦଳ ନିୟମିତ ଭାବେ ପ୍ରୟାସ କରିଆସୁଛନ୍ତି ।
ରିପୋର୍ଟ ଅନୁସାରେ ଅଖିଳେଶଙ୍କୁ ଦେଖିବା ପାଇଁ  ରାଲିରେ ସାମିଲ ହୋଇଥିବା ହଜାର ହଜାର ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମର୍ଥକ ଅଖିଳେଶଙ୍କ ସହ ହାତ ମିଳାଇବା ଉଦ୍ଦେଶ୍ୟରେ ବାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ଅଖିଳେଶଙ୍କ ନିକଟରେ ଥିବା କିଛି ସୁରକ୍ଷାକର୍ମୀ ଓ ଦଳୀୟ କର୍ମୀ ସେମାନଙ୍କୁୂ ରୋକିବାରୁ ସମର୍ଥକ-କର୍ମୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ, ସମଥର୍କ-କର୍ମୀଙ୍କ ମଧ୍ୟରେ ଚୌକି ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଥିଲା । ସୁତରାଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ମଧ୍ୟ ପଡିଥିଲା । ତେବେ ଏସବୁ ମଧ୍ୟରେ ଅଖିଳେଶ ବାରମ୍ବାର ମାଇକ୍ ଯୋଗେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ ଏସବୁର କୌଣସି ପ୍ରଭାବ ଜନତାଙ୍କ ଉପରେ ପଡ଼ିନଥିଲା । ସୁତରାଂ ଏହି ରାଲିରେ ମଧ୍ୟ ଗୋଟିଏ ବି ଶବ୍ଦ ସମ୍ବୋଧନ କରିନପାରି ବାଧ୍ୟହୋଇ ଫେରିଆସିଛନ୍ତି । ଆଜିର ଏହି ଘଟଣାକୁ ମିଶାଇ ଚଳିତ ଲୋକସଭା ନିର୍ବାଚନ ସମୟରେ କ୍ରମାଗତ ୩ୟ ଥର ପାଇଁ ଅଖିଳେଶଙ୍କୁ ଏପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଏହାପୂର୍ବରୁ ପ୍ରୟାଗରାଜ ଏବଂ ସନ୍ଥ କବୀର ନଗରରେ ଅନୁଷ୍ଠିତ ରାଲିରେ ଏସପି କର୍ମୀମାନେ ନିୟନ୍ତ୍ରଣ ବାହାରକୁ ଯାଇଥିଲେ । ଯେଉଁଥିପାଇଁ ଦୁଇଟି ଯାକ ରାଲିକୁ ବାତିଲ କରିବାକୁ ପଡିଥିଲା ।
ସୂଚନାଯୋଗ୍ୟ ଇଣ୍ଡିଆ ମିଳିତ ମେଣ୍ଟ ପକ୍ଷରୁ ରବିବାର ପ୍ରୟାଗରାଜ ଜିଲ୍ଲା ଅନ୍ତର୍ଗତ ଫୁଲପୁର ଅଞ୍ଚଳରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିବା ବେଳେ ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ  ଅଖିଳେଶ ଯାଦବ ଯୋଗଦେଇଥିଲେ । କିନ୍ତୁ ଉଭୟ ନେତା କାର୍ଯ୍ୟକ୍ରମସ୍ଥଳରେ ପହଞ୍ôଚବା ପରେ ଭିଡ ଅସମ୍ଭାଳ ହୋଇପଡିଥିଲା । ଅଖିଳେଶ ଭାଷଣ ଆରମ୍ଭ କରିବା ସମୟରେ ହିଁ ହଠାତ୍ କିଛି ଲୋକ ବ୍ୟାରିକେଡ ଭାଙ୍ଗି ମଞ୍ଚ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ଅଟକାଇବାର ପ୍ରୟାସରେ ଦଳୀୟ କର୍ମୀମାନେ ମଧ୍ୟ ମଞ୍ଚ ଉପରକୁ ଆସିଯାଇଥିଲେ । କର୍ମୀ, ସମର୍ଥକ ଏବଂ ଅନ୍ୟ ସାଧାରଣ ଲୋକମାନେ ଅନିୟନ୍ତ୍ରିତ ହୋଇପଡିବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡିଛି ।  ପରିସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ଏବଂ ଅଖିଳେଶ ଭାଷଣ ନଦେଇ ଫେରିଆସିବାକୁ ବାଧ୍ୟ ହୋଇଛନ୍ତି । ପ୍ରକାଶ, ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଇଣ୍ଡିଆ ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଭାବେ ନିର୍ବାଚନ ଲଢ଼ୁଛି । ଉଭୟ ଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ସମାଜବାଦୀ ପାର୍ଟି ୬୩ ଆସନରେ ଏବଂ କଂଗ୍ରେସ ୧୭ ଆସନରେ ପ୍ରାର୍ଥୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking