20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଦିଲ୍ଲୀ କ୍ୟାପିଟାଲ୍ସ ସହଯୋଗୀ କୋଚ୍ ପଦ ଛାଡ଼ିଲେ ଅଗରକର

ଦିଲ୍ଲୀ କ୍ୟାପିଟାଲ୍ସ ସହଯୋଗୀ କୋଚ୍ ପଦ ଛାଡ଼ିଲେ ଅଗରକର

ନୂଆଦିଲ୍ଲୀ : ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ସହଯୋଗୀ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କ୍ରିକେଟର୍ ଅଜିତ୍ ଅଗରକର । ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ପଦରୁ ଚେତନ ଶର୍ମା ଇସ୍ତଫା ଦେବା ପରେ ଏହି ପଦରେ ନିଯୁକ୍ତି ଦୌଡ଼ରେ ଅଗରକର ବେଶ୍ ଆଗରେ ଅଛନ୍ତି । ଏହି ପଦରେ ନିଯୁକ୍ତି ପାଇବା ଆଶାରେ ଅଗରକର ଦିଲ୍ଲୀ କ୍ୟାପିଟାଲ୍ସ ସହଯୋଗୀ କୋଚ୍ ପଦ ଛାଡ଼ିଛନ୍ତି ।

ଏନେଇ ଗୁରୁବାର ଫ୍ରାଞ୍ଚାଇଜ୍ ପକ୍ଷରୁ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦିଆଯିବା ସହ ତାଙ୍କୁ ଓ ଶେନ୍ ୱାଟ୍‌ସନ୍‌ଙ୍କୁ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଦିଆଯାଇଛି । ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ବାର୍ଷିକ ପାଉଣା ବୃଦ୍ଧି ପାଇଁ ସ୍ଥିର କରିଥିବା ବେଳେ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଅଗରକର ଏ ବାବଦରେ କୋଟିଏ ଟଙ୍କା ପାଇବେ । ସେହିପରି କମିଟିର ଅନ୍ୟାନ୍ୟ ସଦସ୍ୟମାନଙ୍କ ବାର୍ଷିକ ପାଉଣା ମଧ୍ୟ ୯୦ ଲକ୍ଷ ଟଙ୍କା ଲେଖାଏଁ ହେବ ।

ପୂର୍ବରୁ ଅଗରକର ଗତ ୨୦୨୧ରେ ଚୟନ କମିଟିରେ ସ୍ଥାନ ପାଇବା ସକାଶେ ହୋଇଥିବା ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ସେତେବେଳେ ଶର୍ମାଙ୍କୁ ନର୍ଥ ଜୋନ୍ ପକ୍ଷରୁ ସାମିଲ୍ କରାଯିବା ସହ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେହିପରି ଜୁନିଅର୍ ଚୟନ କମିଟି ଅଧ୍ୟକ୍ଷ ପଦ ଦୌଡ଼ରେ ମଧ୍ୟ ମୁମ୍ବାଇ ଦଳରେ ତାଙ୍କର ପୂର୍ବତନ ସାଥୀ ପେସର୍ ଆବେ କୁରୁଭିଲ୍ଲା ବାଜିମାତ୍ କରିଥିଲେ । ଏହି ୪୫ ବର୍ଷୀୟ ପୂର୍ବତନ ପେସର୍‌ଙ୍କ ପାଖରେ ୧୯୧ଟି ଦିନିକିଆ ସହ ୨୬ଟି ଟେଷ୍ଟ୍ ଓ ୪ଟି ଟି-୨୦ ଖେଳିବାର ଅଭିଜ୍ଞତା ଥିବାରୁ ସେ ଚୟନ କମିଟି ଅଧ୍ୟକ୍ଷ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ।

୨୦୨୧ରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମ୍‌ସିଏ)ର ମଧ୍ୟ ଅଗରକରଙ୍କ ପ୍ରାର୍ଥିତ୍ୱ ନେଇ କିଛି ସମସ୍ୟା ଥିଲା । କିନ୍ତୁ ଇତିମଧ୍ୟରେ ଏହି ସମସ୍ୟା ଦୂର ହୋଇଛି ଓ ଅଗରକର ବିସିସିଆଇ ଚୟନ କମିଟିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଏକରକମ ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଅଗରକରଙ୍କ ବ୍ୟତୀତ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ମଧ୍ୟ ଚୟନ କମିଟି ଅଧ୍ୟକ୍ଷ ଦୌଡ଼ରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking