29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶରାହାଣେ ଉପଅଧିନାୟକ ପଦକୁ ଫେରିବା ନେଇ ସୌରଭ ଚକିତ

ରାହାଣେ ଉପଅଧିନାୟକ ପଦକୁ ଫେରିବା ନେଇ ସୌରଭ ଚକିତ

ନୂଆଦିଲ୍ଲୀ : ପାଖାପାଖି ଦେଢ଼ ବର୍ଷ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ଚଳିତ ମାସ ପ୍ରାରମ୍ଭରେ ଖେଳାଯାଇଥିବା ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅବଶ୍ୟ ସେ ଉକ୍ତ ଫାଇନାଲ୍‌ରେ ପ୍ରଥମ ଇନିଂସରେ ୮୯ ଓ ଦ୍ୱିତୀୟ ଇନିଂସରେ ୪୬ ରନ୍ କରି ନିଜକୁ ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସାବ୍ୟସ୍ତ କରିଥିଲେ । କିନ୍ତୁ ଦୀର୍ଘଦିନ ଧରି ଦଳଠାରୁ ଦୂରରେ ରହିଥିବା ସତ୍ତ୍ୱେ ମାତ୍ର ଗୋଟିଏ ଟେଷ୍ଟ୍ ପରେ ତାଙ୍କୁ ଆଗାମୀ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଉପଅଧିନାୟକ ପଦରେ ପୁନଃଅବସ୍ଥାପିତ କରାଯିବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

ରାହାଣେଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତି ଦେଇ ଅନ୍ତରୀଣ ଅଧ୍ୟକ୍ଷ ଶିବ ସୁନ୍ଦର ଦାସଙ୍କ ନେତୃତ୍ୱାଧୀନ ବିସିସିଆଇ ଚୟନ କମିଟି ଯୁବ ଓପନର ଶୁବମାନ ଗିଲ୍‌ଙ୍କ ପରି ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ସୌରଭ କହିଛନ୍ତି । ଲଣ୍ଡନରୁ ଏକ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସୌରଭ କହିଛନ୍ତି ଯେ ପ୍ରତ୍ୟାବର୍ତ୍ତନ ପରେ ପରେ ଉପଅଧିନାୟକ ପଦ ପ୍ରଦାନ କରାଯିବା ପଛର କାରଣ ସେ ବୁଝିପାରୁନାହାନ୍ତି ।

ଚୟନ କମିଟି କ’ଣ ଚିନ୍ତା କରି ଏପରି ପଦକ୍ଷେପ ନେଇଛି, ତା’ ସ୍ପଷ୍ଟ ହୋଇପାରୁନାହିଁ । ଦଳର ଜଣେ ନିୟମିତ ସଦସ୍ୟ ଭାବେ ଦୀର୍ଘଦିନ ଧରି ସେବା କରିଆସୁଥିବା ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଏହି ପଦ ପାଇଁ ଅସଲ ହକ୍‌ଦାର । ତାଙ୍କୁ ଉପଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିଲେ, ଚୟନ କମିଟି ନିଷ୍ପତ୍ତିରେ ସ୍ଥିରତା ଓ ପାରଦର୍ଶିତା ରହିଥାନ୍ତା ବୋଲି ସୌରଭ ମତ ଦେଇଛନ୍ତି ।

ସେହିପରି ଶହେରୁ ଊର୍ଦ୍ଧ୍ୱ ଟେଷ୍ଟ୍ ଖେଳିସାରିଥିବା ଚେତେଶ୍ୱର ପୂଜାରାଙ୍କୁ ଦଳରୁ ବାଦ୍ ଦିଆଯିବା ନିଷ୍ପତ୍ତିରେ ସୌରଭ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂଜାରାଙ୍କୁ ଆଗାମୀ ଦିନରେ ଟେଷ୍ଟ୍ ଖେଳିବାର ପୁଣି ସୁଯୋଗ ମିଳିବ କି ତାଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ଅଭିଜ୍ଞତା ହାସଲର ସୁଯୋଗ ମିଳିବ, ସେନେଇ ଚୟନ କମିଟି ସଦସ୍ୟ ତାଙ୍କ ସହ ସବିଶେଷ ଆଲୋଚନା କରିବାର ଆବଶ୍ୟକତା ରହିଛି । ରାହାଣେଙ୍କ ପରି ପୂଜାରାଙ୍କୁ ପରି ଟେଷ୍ଟ୍ ସ୍ପେଶାଲିଷ୍ଟ୍‌ଙ୍କୁ ପ୍ରଥମେ ଦଳରୁ ବାଦ୍ ଦେବା ଓ ପରବର୍ତ୍ତୀ ସମୟରେ ପୁଣି ସାମିଲ୍ କରିବା ଆଦୌ ସୁସ୍ଥ ପରମ୍ପରା ସାବ୍ୟସ୍ତ ହେବ ନାହିଁ ବୋଲି ସୌରଭ କହିଛନ୍ତି ।

ସେହିପରି ଘରୋଇ କ୍ରିକେଟ୍‌ରେ ଆଶାତୀତ ସଫଳତା ପାଇଥିବା ସତ୍ତ୍ୱେ ସର୍ଫରାଜ ଖାନ୍ ଓ ଅଭିମନ୍ୟୁ ଈଶ୍ୱରନ୍‌ଙ୍କ ପରି ଖେଳାଳିଙ୍କୁ ଟେଷ୍ଟ୍ ଦଳରେ ସାମିଲ୍ କରାଯିବାର ଆବଶ୍ୟକତା ଥିଲା ବୋଲି ସୌରଭ କହିଛନ୍ତି । ଆଇପିଏଲ୍‌ର ପ୍ରଦର୍ଶନ ଆଧାରରେ ଋତୁରାଜ ଗାଏକ୍ୱାଡଙ୍କୁ ସାମିଲ୍ କରାଯିବା ନିଷ୍ପତ୍ତିକୁ ସୌରଭ ଗ୍ରହଣ କରି ନ ଥିଲେ ମଧ୍ୟ ରଣ୍‌ଜୀ ଟ୍ରଫି, ଇରାନୀ ଟ୍ରଫି ଓ ଦୁଲୀପ ଟ୍ରଫି ଆଦିରେ ସ୍ଥିର ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୈସ୍ୱାଲ୍‌ଙ୍କ ସାମିଲ୍‌କୁ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking