33.1 C
Bhubaneswar
Monday, May 6, 2024
Homeଏସିଆ କପ୍ ଇତିହାସ ଭାରତ ବନାମ ପାକିସ୍ତାନ୪ ବର୍ଷପରେ ଭାରତ-ପାକିସ୍ତାନ ଦିନିକିଆ ମୁକାବିଲା ଆଜି

୪ ବର୍ଷପରେ ଭାରତ-ପାକିସ୍ତାନ ଦିନିକିଆ ମୁକାବିଲା ଆଜି

ପାଲିକେଲ: ବିଶ୍ୱର ବହୁ ପ୍ରତିକ୍ଷିତ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର ଶ୍ରୀଲଙ୍କାର ପାଲିକେଲ ଷ୍ଟାଡ଼ିୟମରେ ଖେଳାଯିବ । ଚଳିତ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗ୍ରୁପ୍ ଏ’ର ଏହା ଦ୍ୱିତୀୟ ମ୍ୟାଚ୍ । ଉଦ୍‌ଘାଟନୀ ଦିବସରେ ପାକିସ୍ତାନ ପ୍ରଥମ ମ୍ୟାଚ୍ ନେପାଳ ବିପକ୍ଷରେ ଜିତିଥିବା ବେଳେ ଭାରତର ଏହା ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ଭେଟୁଥିବାରୁ ଭାରତୀୟ ଦଳ ଚାପରେ ରହିବ ।

ଅନ୍ୟପକ୍ଷରେ ଏସିଆ କପ୍‌ର ରେକର୍ଡକୁ ଲକ୍ଷ୍ୟ କଲେ ଭାରତ ସପକ୍ଷରେ ମ୍ୟାଚ୍ ରହୁଛି । ଏପରିକି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ତିନିଟି ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା । ଦିନିକିଆ କ୍ରିକେଟ୍‌ରେ ଶେଷଥର ପାଇଁ ଗତ ୨୦୧୯ ବିଶ୍ୱକପ୍‌ରେ ଉଭୟଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଭାରତ ଡିଏଲ୍‌ଏସ୍ ନିୟମ ଅନୁଯାୟୀ ୮୯ ରନ୍ ବ୍ୟବଧାନରେ ଜିତିଥିଲା । ଦୀର୍ଘ ୪ ବର୍ଷ ବ୍ୟବଧାନରେ ଉଭୟ ଦଳ ଏବେ ଦିନିକିଆ କ୍ରିକେଟ୍‌ରେ ସାମ୍ନାସାମ୍ନି ହେବେ । ପାକିସ୍ତାନ ଖେଳିଥିବା ଅନ୍ତିମ ୫ଟି ମ୍ୟାଚରୁ ୪ଟି ବିଜୟୀ ହୋଇଥିବା ବେଳେ ଭାରତ ୩ଟିରେ ବିଜୟ ଓ ୨ଟିରେ ପରାଜୟ ବରଣ କରିଛି ।

ଭାରତ: ବିଶ୍ୱ କ୍ରିକେଟରେ ଭାରତ ଏବେ ଦଳଗତ ର‌୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ମଜଭୁତ ସ୍ଥିତିରେ ରହିଛି । ବ୍ୟାଟିଂରେ ବିଶ୍ୱର ଶ୍ରେଷ୍ଠ ଓପନର ଭାବେ ପରଚିତ ନିଜେ ଅଧିନାୟକ ରୋହିତ ଶର୍ମା ରହିଥିବା ବେଳେ ତାଙ୍କ ସହ ଦୁଇ ଯୁବ ବ୍ୟାଟର ଶୁବମାନ ଗିଲ ଓ ଇଶାନ୍ କିଶାନ୍ ରହିଛନ୍ତି । ଗତ କିଛି ମାସ ମଧ୍ୟରେ ଏହି ଦୁଇ ବ୍ୟାଟର ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ । ଏପରିିକି ଉଭୟ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଗିଲ ଚଳିତ ବର୍ଷ ୧୦ଟି ଦିନିକିଆ ମ୍ୟାଚ୍‌ରୁ ଦୁଇଟି ଶତକ, ଗୋଟିଏ ଦ୍ୱିଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଉପମହାଦେଶୀୟ ପିଚ୍‌ରେ ତାଙ୍କ ପ୍ରଦର୍ଶନ ଶ୍ରେଷ୍ଠ ରହିଛି । ଯାହା ପାକିସ୍ତାନ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ସେହିପରି ଇଶାନ୍ ବର୍ତ୍ତମାନ ସୁଦ୍ଧା ୧୭ଟି ଦିନିକିଆ ମ୍ୟାଚରୁ ଗୋଟିଏ ଦ୍ୱିଶତକ ସହ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏପରିକି ବର୍ତ୍ତମାନ ସୁଦ୍ଧା ସେ କୌଣସି ମ୍ୟାଚ୍ ଡକ୍ ହୋଇନାହାନ୍ତି ।

ଏମାନଙ୍କ ପରେ ରନ୍ ମେସିନ୍ ବିରାଟ କୋହଲି ଓ ଦିନିକିଆରେ ବର୍ତ୍ତମାନ ସୁଦ୍ଧା ଫ୍ଲଫ୍ ହୋଇନଥିବା ଶ୍ରେୟସ୍ ଆୟର ରହିଛନ୍ତି । ବ୍ୟାଟରଙ୍କ ପରେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରୁଥିବା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ଏହି ବ୍ୟାଟିଂ ଲାଇନ୍‌କୁ ଚାପରେ ପାକିସ୍ତାନ ବୋଲର ରଖିପାରିଲେ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବ । ବୋଲିଂରେ ଯଶପ୍ରିତ ବୁମରା ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କୁ ସାଥ୍ ଦେବାକୁ ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି ।

ପାକିସ୍ତାନ: ପାକିସ୍ତାନ ଏବେ ଆଇସିସିର ଶ୍ରେଷ୍ଠ ଦଳ ହୋଇଥିବା ବେଳେ ଅଧିନାୟକ ବାବର ଆଜମ୍ ବିଶ୍ୱର ଟପ୍ ର‌୍ୟାଙ୍କ୍‌ଡ ବ୍ୟାଟର । ଗତ ମ୍ୟାଚ୍‌ରେ ଶତକ ହାସଲ କରି ବିପକ୍ଷ ଦଳ ପାଇଁ ଚେତାବନୀ ଦେଇଛନ୍ତି । ତାଙ୍କ ସହ ହିଟର ଫାକର ଜମନ୍‌, ଇମାମ୍ ଉଲ ହକ, ୱିକେଟ୍ କିପର ମହମ୍ମଦ ରିଜୱାନ ରହିଛନ୍ତି । ଏମାନଙ୍କ ପରେ ଇଫ୍‌ତିକାର ଅହମ୍ମଦ ବ୍ୟାଟିଂ କରୁଛନ୍ତି । ଭାରତ ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିଥିବା ବେଳେ ଗତ ନେପାଳ ବିପକ୍ଷ ମ୍ୟାଚ୍‌ରେ ଦ୍ରୁତ ଶତକ ହାସଲ କରିଥିଲେ ।

ଦଳର ବ୍ୟାଟିଂ ଅପେକ୍ଷା ବୋଲିଂ ଅଧିକ ଶକ୍ତିଶାଳୀ । ସହିନ୍ ଆଫ୍ରିଦିଙ୍କ ସାଙ୍ଗକୁ ହରିଶ ରୌଫ୍‌, ମହମ୍ମଦ ନୱାଜ, ନସୀମ ଶାହ ଓ ଅଲରାଉଣ୍ଡର ସଦାବ ଖାନ୍ ରହିଛନ୍ତି । ଭାରତୀୟ ଦଳ ପାଇଁ ପାକିସ୍ତାନ ଏହି ମ୍ୟାଚ୍‌ରେ ୪ଜଣ ପେସରଙ୍କୁ ଖେଳାଇବ । ଏନେଇ ଅଧିନାୟକ ବାବର ଆଜମ୍ ପାକିସ୍ତାନର ଚୂଡାନ୍ତ ଏକାଦଶ ମଧ୍ୟ ଘୋଷଣା କରିସାରିଛନ୍ତି ।

ପିଚ୍ ଓ କଣ୍ଡିସନ୍‌: ପାଲିକେଲ ଷ୍ଟାଡ଼ିୟମ ଉଭୟ ଦ୍ରୁତ ଓ ସ୍ପିନ୍ ବୋଲରଙ୍କୁ ମିଶ୍ରିତ ଫଳାଫଳ ଦେବ । ଏହି ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । କିନ୍ତୁ ଶନିବାର ସକାଳୁ ବର୍ଷା ହେବାର ସମ୍ଭାବନା ରହିଥିବାରୁ ମ୍ୟାଚ୍ ଆରମ୍ଭରେ ବିଳିମ୍ବ ହେବାର ସମ୍ଭାବନା ରହିଛି ।
ସମ୍ବାବ୍ୟ ଏକାଦଶ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଇଶାନ୍ କିଶାନ୍ (ୱିକେଟ୍ କିପର), ବିରାଟ କୋହଲି, ଶ୍ରେୟସ୍ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଜଶପ୍ରିତ୍ ବୁମ୍‌ରା ।
ପାକିସ୍ତାନ ଚୂଡାନ୍ତ ଏକାଦଶ: ଫାକର ଜମନ୍‌, ଇମାମ୍ ଉଲ୍ ହକ୍‌, ବାବର ଆଜମ୍ (ଅଧିନାୟକ), ମହମ୍ମଦ ରିଜୱାନ୍ (ୱିକେଟ୍ କିପର), ଆଘା ସଲ୍‌ମନ୍‌, ଇଫ୍‌ତିକାର ଅହମ୍ମଦ, ସଦାବ ଖାନ୍‌, ମହମ୍ମଦ ନୱାଜ, ସହିନ୍ ଶାହ ଆଫ୍ରିଦି, ନସୀମ ଶାହ, ହରିଶ ରୌଫ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking