32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶତାଲିବାନକୁ ଆଫଗାନ ରାଷ୍ଟ୍ରପତିଙ୍କ ଶାନ୍ତି ପ୍ରସ୍ତାବ

ତାଲିବାନକୁ ଆଫଗାନ ରାଷ୍ଟ୍ରପତିଙ୍କ ଶାନ୍ତି ପ୍ରସ୍ତାବ

କାବୁଲ:  ତାଲିବାନ ଆତଙ୍କବାଦୀଙ୍କ ଯୁଦ୍ଧଖୋର ମନୋବୃତ୍ତି ଯୋଗୁଁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହୋଇପଡୁଥିବାବେଳେ ଆଫଗାନିସ୍ତାନ ସରକାର ଅତ୍ୟନ୍ତ ବିଚଳିତ ହୋଇପଡିଛନ୍ତି । ଆଫଗାନିସ୍ତାନର ଉତ୍ତର ଓ ପଶ୍ଚିମରେ ଅବସ୍ଥିତ ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଯାଇଥିବାବେଳେ କେବଳ ରାଜଧାନୀ କାବୁଲ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱତନ୍ତ୍ରତା ହରାଇନାହିଁ। ଏହି ପରିପ୍ରେକ୍ଷୀରେ ହିଂସାକାଣ୍ଡ ଲୋପ ଓ ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ ଆଫଗାନିସ୍ତାନ ସରକାର ତାଲିବାନକୁ କ୍ଷମତା ବଣ୍ଟନ ସଂକ୍ରାନ୍ତ ଏକ ପ୍ରସ୍ତାବ ଦେଇଛନ୍ତି । ମଧ୍ୟପ୍ରାଚ୍ୟ ରାଷ୍ଟ୍ର କାତାରରେ ଥିବା ମଧ୍ୟସ୍ଥିମାନେ ଏ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି । ଆଫଗାନ ସରକାରଙ୍କ ପକ୍ଷରୁ ଆଗତ ଏଭଳି ପ୍ରସ୍ତାବ ସମ୍ପର୍କରେ ସେମାନେ ତାଲିବାନ ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । ତେବେ ତାଲିବାନ ଏଭଳି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି ।

ଅପରପକ୍ଷରେ ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଅସ୍ରଫ ଘାନି ରାଷ୍ଟ୍ରପତି ପଦରୁ ନଓହରିବା ପର୍ଯ୍ୟନ୍ତ ତାଲିବାନ କୌଣସି ଆଲୋଚନାରେ ଭାଗ ନେବ ନାହିଁ । ବୁଧବାର କାତାରର ରାଜଧାନୀ ଦୋହାରେ ଆୟୋଜିତ ଏଚ୍‌ସିଏନ୍‌ଆର (ହାଇ କାଉନସିଲ ଫର ନ୍ୟାସନାଲ ରିକନ୍‌ସିଲେସନ) ବୈଠକରେ ଭାଷଣ ଦେବା ଅବସରରେ ସଂଗଠନର ମୁଖ୍ୟ ଅବଦୁଲ୍ଲା ଆଫଗାନ ସରକାରଙ୍କ ଶାନ୍ତି ପ୍ରସ୍ତାବ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଚଳିତବର୍ଷ ମେ’ରୁ ଆମେରିକୀୟ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରଠାରୁ ତାଲିବାନ ସଂଗଠନ ସମ୍ପୂର୍ଣ୍ଣ ସକ୍ରିୟ ହେବାସହିତ ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାରେ ଲାଗିପଡିଛି ।

ତାଲିବାନ ଆତଙ୍କବାଦୀ ଦେଶଣ ପ୍ରମୁଖ ରାଜପଥକୁ ଅବରୋଧ କରିଥିବାରୁ ଉପଦ୍ରୁତ ଅଞ୍ଚଳକୁ ସେନା ପଠାଇବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପୁନଶ୍ଚ ତାଲିବାନ ଭୟରେ ସହସ୍ରାଧିକ ଆଫଗାନ ସୈନ୍ୟ ଛତ୍ରଭଙ୍ଗ ଦେଇ ଅନ୍ୟତ୍ର ପଳାୟନ କରିଥିବାରୁ ଏହା ସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ଆଫଗାନିସ୍ତାନ ସ୍ଥିତି ନେଇ ଜାତିସଂଘ ନିରାପତ୍ତା ପରିଷଦ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି । ତେବେ ଆମେରିକା ଏ ବିଷୟରେ ଆଉ ମୁଣ୍ଡ ଖେଳାଇବାକୁ ଆଗ୍ରହୀ ନଥିବାରୁ ଆନ୍ତର୍ଜାତିକ ସମୁଦାୟ କେବଳ ନିରବଦ୍ରଷ୍ଟା ସାଜିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking