30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶକକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ-୧

କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ-୧

ବେଙ୍ଗାଲୁରୁ : ସୂର୍ଯ୍ୟ ଅଭିଯାନ ପାଇଁ ଇସ୍ରୋ ପକ୍ଷରୁ ପଠାଯାଇଥିବା ମହାକାଶଯାନ ଆଦିତ୍ୟ-ଏଲ୧ ରବିବାର ଏହାର କକ୍ଷପଥ ପରିବର୍ତ୍ତନ କରିଛି । ବେଙ୍ଗାଲୁରୁସ୍ଥିତ ଇସ୍‌ଟ୍ରାକ୍ (ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟ୍‌ୱାର୍କ) ପକ୍ଷରୁ ଆଦିତ୍ୟ-ଏଲ୧ର କକ୍ଷପଥକୁ ସଫଳତାର ସହ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି । ଫଳରେ ଆଦିତ୍ୟ-ଏଲ୧ ବର୍ତ୍ତମାନ ୨୪୫ କିମି ଙ୍ଘ ୨୨୪୫୯ କିମି କକ୍ଷପଥରେ ପରିକ୍ରମା ଆରମ୍ଭ କରିଛି । ଚଳିତମାସ ୫ରେ ଏହାର ପରବର୍ତ୍ତୀ କକ୍ଷପଥ ନିର୍ଦ୍ଧାରଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ସୂଚନାଯୋଗ୍ୟ ଚଳିତମାସ ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ପିଏସଏଲ୍‌ଭି ସି୫୭ ରକେଟ୍ ସାହାଯ୍ୟରେ ଆଦିତ୍ୟ-ଏଲ୧ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା । ଦୀର୍ଘ ଏଗାର ଦିନ ଏହା ପୃଥିବୀ କକ୍ଷପଥ ପରିକ୍ରମା କରିବାପରେ ସୂର୍ଯ୍ୟଙ୍କ ଆଡକୁ ଅଗ୍ରସର ହେବ ।

ପୃଥିବୀପୃଷ୍ଠରୁ ୧୫ ଲକ୍ଷ କିମି ଦୂର ସନ୍‌-ଆର୍ଥ ଲାଗ୍ରେଞ୍ଜ୍‌୧ ପଏଣ୍ଟରେ ଆଦିତ୍ୟ-ଏଲ୧କୁ ଅବସ୍ଥାପିତ କରାଯିବାର ଯୋଜନା ରହିଛି । ଉତ୍‌କ୍ଷେପଣ ହେବାର ୧୨୫ ଦିନ ପରେ ଆଦିତ୍ୟ-ଏଲ୧ ଧାର୍ଯ୍ୟ ସ୍ଥାନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଆଦିତ୍ୟ-ଏଲ୧ରେ ୭ଟି ବୈଜ୍ଞାନିକ ଯନ୍ତ୍ରପାତି ଖଞ୍ଜାଯାଇଛି । ଏଗୁଡିକ ହେଲା ଭିଜିବୁଲ ଏମିସନ୍ ଲାଇନ୍ କରୋନାଗ୍ରାଫ୍‌, ଡାଇନାମିକ୍‌ସ ଅଫ୍ କରୋନାଲ ମାସ୍ ଇଜେକ୍‌ସନ, ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଂ ଟେଲିସ୍କୋପ୍‌, ସୋଲାର ୱିଣ୍ଡ୍ ପାର୍ଟିକିଲ ଏକ୍ସପେରିମେଣ୍ଟ, ପ୍ଲାଜ୍‌ମା ଆନାଲାଇଜର ପ୍ୟାକେଜ୍‌, ସୋଲାର ଲୋ ଏନର୍ଜି ଏକ୍ସ-ରେ ସ୍ପେକ୍‌ଟ୍ରୋମିଟର ଓ ହାଇ ଏନର୍ଜି ଅର୍ବିଟିଂ ଏକ୍ସ-ରେ ସ୍ପେକ୍‌ଟ୍ରୋମିଟର ଏବଂ ମ୍ୟାଗ୍‌ନେଟୋମିଟର । ଏହି ସମସ୍ତ ଯନ୍ତ୍ରପାତି ଇସ୍ରୋର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘରୋଇ କାରିଗରିକୌଶଳରେ ନିର୍ମାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking