ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କମେଡି ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଚେକ୍ ବାଉନ୍ସ ମାମଲାରେ କୋର୍ଟ ତାଙ୍କୁ ୩ ମାସର କାରାଦଣ୍ଡ ଶୁଣାଇଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେବା ସହ ଅଭିନେତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରିଛନ୍ତି। ଏହାସହ କୋର୍ଟ ସଜାକୁ ବଜାୟ ରଖି ରାଜପାଲ ଯାଦବଙ୍କ ଆଚରଣକୁ ‘ସନ୍ଦେହଜନକ’ ବୋଲି କହିଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଙ୍କୁ ପୁଣିଥରେ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରିବା ପାଇଁ ରାଜପାଲ ଯାଦବ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ଚେକ୍ ବାଉନ୍ସ ମାମଲାରେ ତାଙ୍କ ଦୋଷସିଦ୍ଧ ଓ ୩ ମାସର କାରାଦଣ୍ଡ ପୂର୍ବବତ୍ ବଳବତ୍ତର ରହିବ। ସୂଚନା ଅନୁସାରେ, ରାଜପାଲ ଯାଦବଙ୍କ ବିରୋଧରେ ଥିବା ଏହି ମାମଲା ୨୦୧୦ ମସିହାର। ସେ ନିଜର ପ୍ରଥମ ଚଳଚ୍ଚିତ୍ର ‘ଅତା ପତା ଲାପତା’ ନିର୍ମାଣ ପାଇଁ ଦିଲ୍ଲୀସ୍ଥିତ ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ। କିନ୍ତୁ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଫଳ ହେବା ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା। ରାଜପାଲ ଯାଦବଙ୍କ ଦାବି ହେଉଛି, ସେ ନିଜର ୨୮ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ଦଲିଲ ଅଦାଲତରେ ଦାଖଲ କରିସାରିଛନ୍ତି। କିନ୍ତୁ ଅଭିଯୋଗକାରୀ ତାଙ୍କୁ ଜେଲକୁ ପଠାଇବାକୁ ଚାହୁଁଛନ୍ତି।ଅନ୍ୟପକ୍ଷରେ, ଅଦାଲତ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜପାଲ ଯାଦବ ଫେରାର ନୁହନ୍ତି ଏବଂ ସେ ନିୟମିତ ଭାବେ ଅଦାଲତରେ ହାଜର ହେଉଛନ୍ତି। ସେ ଆଗରୁ କିଛି ଅର୍ଥ ମଧ୍ୟ ପରିଶୋଧ କରିସାରିଥିବାରୁ, ବର୍ତ୍ତମାନ ସ୍ଥିତିରେ ତାଙ୍କୁ ଜେଲକୁ ପଠାଇବାର ଆବଶ୍ୟକତା ନାହିଁ।










