ଗଞ୍ଜାମ: ପାଣି ପାଇଁ ରାସ୍ତା ରୋକ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ବାଳକୃଷ୍ଣପୁର ଗାଁରେ ପିଇବା ପାଣି ସମସ୍ୟାକୁ ନେଇ ରାସ୍ତାରୋକ ।ପ୍ରାୟ ଦୁଇ ମାସ ଧରି ୧୨ ଓ ୧୩ ନମ୍ବର ୱାର୍ଡକୁ ପାଣି ଯୋଗାଣ ବନ୍ଦ ଥିବା ଅଭିଯୋଗରେ ଆଜି ରାସ୍ତାରେ ବସି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦୁଇ ମାସ ହେଲା ସେମାନଙ୍କ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଏନେଇ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଜଣାଇଥିଲେ ବି କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବାରୁ ଆନ୍ଦୋଳନ କରିଛନ୍ତି ଗାଁଲୋକ ।ଖବର ପାଇ ଘଟଣାସ୍ଥଳରେ ବେଲଗା ପୋଲିସ, ଆରଡବ୍ଲୁଏସଏସର କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାସନ ପକ୍ଷରୁ ଆଗାମୀ ତିନି ଦିନ ମଧ୍ୟରେ ସ୍ଥାୟୀ ଭାବେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହାସହ ସେପର୍ଯ୍ୟନ୍ତ ପାଣି ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି ।










