ମୟୂରଭଞ୍ଜ : ଚୋରା ପ୍ରେମର ନିଶା ବଡ଼ ଗହିରା। ଆଉ ଚୋରାପ୍ରେମର ଗହିରା ମାପିନପାରିବାରୁ ନେଲା ଜୀବନ। ଚୋରା ପ୍ରେମ ପାଇଁ ଅସମୟରେ ମୃତ୍ୟୁ କୋଳରେ ଶୋଇଗଲା ଯୁବକ। ନୃଶଂସ ଭାବେ ପିଟି ପିଟି ଯୁବକକୁ ମାରିଦେଲେ ବାପପୁଅ। ତେବେ କଥାରେ ଅଛି ପ୍ରେମ ମାନେନି ବାଧା ବନ୍ଧନ, ଜାତି କି ବୟସ କିମ୍ବା ସ୍ଥାନ, କାଳପାତ୍ର। ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକକୁ ନୃଶଂସ ଭାବେ ପିଟିପିଟି ହତ୍ୟା । ଘଟଣାଟି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆଡିହା ପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମରେ ଘଟିଛି। ଖବରରୁ ପ୍ରକାଶ କି ଏହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ(ମଧୁ) ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରାତିତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି ।
ଜାସାୟ ଟୁଡୁଙ୍କ ସମ୍ପର୍କୀୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ ଯୁବକ ଜଣକ । ନାଚରୁ ମହିଳାଙ୍କୁ ଅନ୍ୟତ୍ର ନେଇ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ବାପ ପୁଅଙ୍କ ହାବୁଡ଼ରେ ପଡି ଯାଇଥିଲେ ପ୍ରେମୀଯୁଗଳ। ଏଭଳି ଘଟଣା ଦେଖି କ୍ରୋଧାନ୍ୱିତ ବାପପୁଅ ଯୁବକକୁ ଧରିଆଣି ଗଛରେ ବାନ୍ଧି ନୃଶଂସ ଭାବେ ପିଟି ପିଟି ଜୀବନରୁ ମାରି ଦେଲେ । ସୂଚନାଯୋଗ୍ୟ କି ସୋମବାର ଉକ୍ତ ଗ୍ରାମରେ ଜାହୀରା ପୂଜା ଚାଲିଥିଲା ଏବଂ ପୂଜା ପରେ ଜମିଥିଲା ପାରମ୍ପରିକ ନୃତ୍ୟଗୀତର ଆସର । ଏହି ସମୟର ସୁଯୋଗନେଇ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗ୍ରାମର ସୁନାରାମ ଟୁଡୁ (୨୫) ଜାସାୟଙ୍କ ସମ୍ପର୍କୀୟ ମହିଳା ସହିତ ନାଚ ଚାଲିଥିବା ସ୍ଥାନରୁ ଅଚାନକ କେଉଁଆଡ଼େ ଉଭାନ ହୋଇଯାଇଥିଲେ ।
ତେବେ ଜାସାୟଙ୍କୁ ସନ୍ଦେହ ହେବାରୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘରକୁଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏହାଦେଖି ଜାସାୟ ଏବଂ ତାଙ୍କ ପୁଅ ମଧୁ କ୍ରୋଧଜର୍ଜରିତ ହୋଇ ସୁନାରାମଙ୍କୁ ଧରିଆଣି ଘରପାଖ ଜାଲାହି ଗଛରେ ଏକ ଦଉଡିରେ ବାନ୍ଧିରଖି ରାତିତମାମ ନୃଶଂସ ଭାବେ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ପିଟିପିଟି ଜୀବନରୁ ମାରିଦେଇଥିଲେ । ସକାଳୁ ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରୁ ବାପପୁଅ ଖସିଯିବା ପୂର୍ବରୁ ଧରି ଗ୍ରାମବାସୀ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅଟକ ବାପ ଓ ପୁଅକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ବେତନଟୀ ଥାନା ପୋଲିସ। ସେହିପରି ଘଟଣା ସମ୍ପର୍କରେ ସୂଚନାପାଇ ବେତନଟୀ ଏସ ଡ଼ି ପି ଓ ସୁଦର୍ଶନ ଦାସଙ୍କ ସହିତ ବେତନଟୀ ଆଇ ଆଇ ସି ସସ୍ମିତା ମହାନ୍ତ ,ବାରିପଦା ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜାସାୟ ଏବଂ ମଧୁଙ୍କୁ ଅଟକ ରଖି ନୃଶଂସ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚରା କରିବା ସହ ଅଧିକତଦନ୍ତ ଜାରୀରଖିଥିବା ଜଣାପଡିଛି ।