ଭୁବନେଶ୍ୱର: ବିଧାନସଭାରେ ୧ ଲକ୍ଷ ୬ ହଜାର ୪୯୮କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ୨୦୨୨-୨୩ ଆର୍ôଥକ ବର୍ଷର ପ୍ରଥମ ଚାରି ମାସ ଅର୍ଥାତ ଏପ୍ରିଲରୁ ଜୁଲାଇ ପାଇଁ ତାହା ବ୍ୟୟ ଅଟ୍ଟକଳ । ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଥିବା ଏହି କାମଚଳା ବଜେଟ୍କୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହର ସହମତିରେ ବାଚନିକ ଭୋଟ୍ରେ ଗୃହୀତ କରାଇଛନ୍ତି । ଫଳରେ ସରକାରଙ୍କୁ ମିଳିଛି ଟ୍ରେଜେରୀର ଚାବିକାଠି । ରାଜ୍ୟ ସରକାର ଏଇ ଚାରିମାସ ଅବଧି ମଧ୍ୟରେ ପ୍ରତିଷ୍ଠାନ ପରିଚଳନା, ଯୋଜନା ଓ ପ୍ରକଳ୍ପଗଡ଼ିିକ ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଇ ଦେବାରେ ସକ୍ଷମ ହେବେ ।
ଗୁରୁବାର ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରବା ଅବସରରେ କହିଥିଲେ, ବଜେଟ୍ରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ଜୀବନ ଓ ଜୀବିକାର ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥାର ରୂପାନ୍ତରୀକରଣ, ପାନୀୟ ଜଳ ଓ ସହରୀ ସୁବିଧାର ବ୍ୟବସ୍ଥା, ଭିତ୍ତିଭୂମି ବିକାଶ, ଶିଳ୍ପ ଓ ଉଦ୍ୟୋଗ ଏବଂ ପୁଞ୍ଜି ନିବେଶ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏକ ଲକ୍ଷ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବ୍ୟତୀତ, ପ୍ରଶାସନିକ ବ୍ୟୟ ନିମନ୍ତେ ୮୯ ହଜାର ୬୨୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୨୧୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୭ ହଜାର ୧୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଏତଦ୍ବ୍ୟତୀତ ଓଡ଼ିଶା ଖଣିଜସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମବାଡ୍ସି), ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଓ ସରକାରୀ ଉଦ୍ୟୋଗଙ୍କ ଦ୍ୱାରା ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ; ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ । ରାଜ୍ୟର ମୋଟ ରାଜସ୍ୱରେ ନିଜସ୍ୱ ରାଜସ୍ୱର ଭାଗ ପ୍ରାୟ ୫୮ ପ୍ରତିଶତ ହୋଇପାରିଛି, ଯାହାଦ୍ୱାରା କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି । କାମଚଳା ବଜେଟ୍ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି କରାଯାଇ ୨୦,୩୪୪ କୋଟି ଟଙ୍କା ଆକଳନ କରାଯାଇଅଛି । ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ପାଇଁ ୨୩,୯୪୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୨୪୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୮,୨୫୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି ଏବଂ ଅନୁସୂଚିତ ଜନଜାତି ଓ ଜାତିଙ୍କ ବିକାଶ ପାଇଁ ୩୩,୨୦୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି ଶ୍ରୀ ପୁଜାରୀ ସ୍ପଷ୍ଟ କରିଥିଲେ ।
ଅର୍ଥମନ୍ତ୍ରୀ କହିଥିଲେ, ରାଜ୍ୟ ଏବେ ଋଣଭାରରେ ବୁଡ଼ିଯାଇ ନାହିଁ । ଆର୍ଥିକ ସୁପରିଚାଳନା ଯୋଗୁ ରାଜ୍ୟର ଋଣଭାର କମିବାରେ ଲାଗିଛି । ନିୟମାନୁସାରେ ଋଣ ଭାର ରାଜ୍ୟ ଘରୋଇ ଉତ୍ପାଦର ଅନୁପାତ ୨୫% ମଧ୍ୟରେ ସୀମିତ ରହିବା ଆବଶ୍ୟକ । ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୧୫% ମଧ୍ୟରେ ରଖିବା ଆବଶ୍ୟକ । ମହାଲେଖାକାରଙ୍କ ଠାରୁ ମିଳିଥିବା ହିସାବ ଅନୁୟାୟୀ ଫେବ୍ରୁୟାରୀ, ୨୦୨୨ ଶେଷରେ ରାଜ୍ୟର ଋଣ-ଜିଏସ୍ଡିପି ଅନୁପାତ ୧୫.୭% ଓ ଆଇପି-ଆର୍ଆର୍ ରେସିଓ ୩% ମଧ୍ୟରେ ସୀମିତ ରଖାଯାଇଛି । ୨୦୦୫-୦୬ ବର୍ଷ ଠାରୁ କ୍ରମାଗତ ଭାବରେ ରାଜସ୍ୱ ବଳକା ସ୍ଥିତି ବଜାୟ ରଖିଅଛୁ । ସଂଗୃହୀତ ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି । ତେଣୁ ଏହି ଗୃହ ରାଜ୍ୟର ଋଣ ହାରର ପୋଷଣୀୟତା ବାବଦକୁ ସନ୍ଦେହ ପ୍ରକାଶ କରିବାର ଆବଶ୍ୟକତା ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ ।
ପ୍ରାରମ୍ଭରେ ବଜେଟ୍ ଆଲୋଚନାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ଦିଗହରା ବଜେଟ୍ ଭାବେ ଉଲ୍ଲେଖ କରିଥିଲାବେଳେ ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ଚିରାଚରିତ ବଜେଟ୍ ବୋଲି କହିଥିଲେ । କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ଋଣଭାରକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ସେହି ଦଳର ସଭ୍ୟ ତାରା ପ୍ରସାଦ ବାହିନୀପତି ବାର୍ଦ୍ଧକ୍ୟ ଭତ୍ତା ବଢ଼ୁ ବୋଲି ଦାବି କରିଥିଲେ । ଅପରପକ୍ଷରେ ପ୍ରଗତିଶୀଳ ବଜେଟ୍ ଭାବେ ଅବହିତ କରି ଶାସକ ସଭ୍ୟ ପ୍ରତାପ ଦେବ ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଶୀଭୂଷଣ ବେହେରା, ଗଣେଶରାମ ଖୁଣ୍ଟିଆ, କୁସୁମ ଟେଟେ, ପ୍ରିତିରଞ୍ଜନ ଘଡ଼ାଇ ଓ ରାଜକିଶୋର ଦାସ ପ୍ରମୁଖ କାମଚଳା ବଜେଟ୍ ଉପରେ ମତ ରଖିଥିଲେ ।