ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ମନୁଷ୍ୟକୁ ବିସ୍ମିତ କରି ରଖିଛି ଆର୍କଟିକ୍ (ମେରୁ) । ପୃଥିବୀର ସର୍ବୋଚ୍ଚରେ ସ୍ଥିତ ଏହି ହିମ ଭୂଖଣ୍ଡରୁ ଏବେ କିନ୍ତୁ ଗମ୍ଭୀର ଚିନ୍ତାଜନକ ସଙ୍କେତ ଆସୁଛି । ବୈଜ୍ଞାନିକମାନେ ଏହାକୁ ନେଇ ଅତ୍ୟନ୍ତ ଚିନ୍ତାରେ । କାରଣ ଟ୍ରମ୍ପ୍ ପ୍ରଶାସନ ବିଶ୍ୱ ଜଳବାୟୁ ରଣନୀତିରୁ ଆମେରିକାକୁ ବାହାର କରିଦେଉଛି ଏବଂ ଏହାର ବିଜ୍ଞାନ ଏଜେନ୍ସିଗୁଡ଼ିକୁ ମଧ୍ୟ ବନ୍ଦ କରିଦେଉଛି ।
ଗତ ମାସ ସ୍ଥିତି ଚରମରେ ପହଞ୍ଚିଥିଲା । ଆର୍କଟିକ୍ର ଅନେକ କ୍ଷେତ୍ରରେ ତାପମାତ୍ରା ୩୬ ଡିଗ୍ରୀ ଫାରେନ୍ହାଇଟ୍ (୨୦ ଡିଗ୍ରୀ ସେଲ୍ସିୟସ୍)ରେ ପହଞ୍ଚିଥିଲା, ଯାହା ସାଧାରଣରୁ ଅଧିକ । ମାସ ଶେଷ ସୁଦ୍ଧା ସମୁଦ୍ର ବରଫ ସର୍ବକାଳୀନ ନିମ୍ନ ସ୍ତରରେ ଥିଲା, ଯାହା ଲଗାତାର ୩ୟ ମାସ ରେକର୍ଡ ନିମ୍ନ ସ୍ତର । ଭୟଙ୍କର ବନାଗ୍ନି ଓ ପର୍ମାଫ୍ରଷ୍ଟ୍ (ମେରୁ କ୍ଷେତ୍ରରେ ବର୍ଷତମାମ ବରଫାବସ୍ଥାରେ ରହୁଥିବା ମାଟିର ବହଳ ପରସ୍ତ) ନିରନ୍ତର ତରଳୁଛି । ଏଥିପାଇଁ ଗ୍ରହର ଉତ୍ତାପ ବୃଦ୍ଧି ଫଳରେ ଉକ୍ତ କ୍ଷେତ୍ରରୁ ଚିନ୍ତାଜନକ ସଙ୍କେତ ମିଳିବାର ବର୍ଷେ ପରେ ଏହି ସ୍ଥିତି ସାମ୍ନାକୁ ଆସିଛି । ମଣିଷ ନିରନ୍ତର ଜୀବାଶ୍ମ ଇନ୍ଧନ ଜାଳୁଥିବାରୁ ଏହି ସ୍ଥିତି ଗତ ଦୁଇ ଦଶନ୍ଧି ଧରି ମେରୁ କ୍ଷେତ୍ରର ଗମ୍ଭୀର ଚିତ୍ରକୁ ବର୍ଣ୍ଣନା କରୁଛି । ଆର୍କଟିକ୍ ଏବେ ଏକ ନୂଆ ସ୍ଥିତି ମଧ୍ୟରେ ରହିଛି, ଯେଉଁଠି ସମୁଦ୍ର ବରଫ କ୍ଷୟ ଓ ମହାସାଗର ତାପମାତ୍ରା ବୃଦ୍ଧି ଭଳି ସଙ୍କେତ ସର୍ବଦା ରେକର୍ଡ ଭାଙ୍ଗିନପାରେ । ତଥାପି ଅତୀତ ତୁଳନାରେ ନିରନ୍ତର ଅଧିକରୁ ଅଧିକ ଚରମ ହେବାରେ ଲାଗିଛି । ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମୋସପିଅରିକ୍ ଆଡ୍ମିନିଷ୍ଟ୍ରେସନ୍ (ନୋଆ) ନିଜର ବାର୍ଷିକ ଯାଞ୍ଚ୍ ରିପୋର୍ଟରେ ଏହା ସ୍ପଷ୍ଟ କରିଛି ।
ନ୍ୟାସନାଲ ସ୍ନୋ ଆଣ୍ଡ୍ ଆଇସ୍ ଡାଟା ସେଣ୍ଟର୍ର ପ୍ରମୁଖ ବୈଜ୍ଞାନିକ ଟ୍ୱିଲା ମୁନ୍ କହିଛନ୍ତି, ଏହା ଏଭଳି ଏକ ସମସ୍ୟା ଯାହାର ପ୍ରଭାବ ବିଶ୍ୱ ଉପରେ ରହିଛି । ମେରୁ ବା ଆର୍କଟିକ୍ କ୍ଷେତ୍ର ବିଶ୍ୱ ତାପମାତ୍ରା ଓ ଜଳବାୟୁ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ଆମ ଗ୍ରହୀୟ ଏୟାର କଣ୍ଡିସନିଂ ସିଷ୍ଟମ୍ ଭଳି । ମେରୁ ବରଫ ହ୍ରାସ ବିଶ୍ୱ ଉତ୍ତାପନ ବୃଦ୍ଧି କରେ । ସମୁଦ୍ର ସ୍ତର ବୃଦ୍ଧିକୁ ବଢ଼ାଏ ଏବଂ ଅଧିକରୁ ଅଧିକ ଚରମ ଜଳବାୟୁ ସ୍ଥିତିର କାରଣ ହୁଏ । ଗତ ମାସ ସମୁଦ୍ର ବରଫ ମାତ୍ରା ୧୩.୭ ନିୟୁତ ବର୍ଗ କିମି ମପାଯାଇଥିଲା । ଏହା ୧୯୯୧-୨୦୨୦ ଫେବ୍ରୁଆରୀର ରେକର୍ଡଠୁ ୮ ପ୍ରତିଶତ କମ୍ ଥିଲା । ୨୦୨୪ ମସିହା ଡିସେମ୍ବରଠୁ ପ୍ରତ୍ୟେକ ମାସ ଏହି ମାତ୍ରା ହ୍ରାସ ପାଉଥିବା ରେକର୍ଡ କରାଯାଇଛି ।