ନୀଳଗିରି: ବର୍ଷ ଆରମ୍ଭରେ ପୁଣି କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ। ଗତ ୨୦୨୩ମସିହାରେ ଗୋଟିଏ ବର୍ଷ ମଧ୍ୟରେ ୯ଗୋଟି ହାତୀର ଜୀବନ ଯାଇଥିଲା। ନୂଆବର୍ଷ ଆରମ୍ଭରୁ ଅଭୟାରଣ୍ୟର ବିଷ୍ଣୁପୁର ପାହାଡ଼ ନିକଟରେ ଏକ ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁଙ୍କ ସହିତ ହାତିଖୁଲିଆ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସବୁଜବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହାତୀଟି ଗଳିତ ଅବସ୍ଥାରେ ଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ।ତେବେ ହାତୀ ମୃତ୍ୟୁର ସ୍ପଷ୍ଟ ସୂଚନା ବନବିଭାଗ ଦେଇନଥିବା ବେଳେ ବନବିଭାଗର ଅପାରଗତା ପାଇଁ ବାରମ୍ବାର ହାତୀ ମୃତ୍ୟୁ ଘଟୁଥିବା ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ହାତୀ ଅଭୟାରଣ୍ୟ ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା ନୀଳଗିରି ଉପଖଣ୍ଡ ଅଭୟାରଣ୍ୟ ଶେଷରେ ଦିନେ ହାତୀ ବଂଶ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ। ତେବେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱଦେଇ ଜଣେ ନିଷ୍ଠାବାନ ଓ କର୍ତ୍ତବ୍ୟ ପରାୟଣ ସଚ୍ଚୋଟ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରାଗଲେ ହାତୀ ବଂଶ ଲୋପ ପାଇବାରୁ ରକ୍ଷା ମିଳିଯିବ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି।