ସୋର: ସୋର ବ୍ଲକ୍ ସାଜନପୁର ପଞ୍ଚାୟତ ବରହମପୁର ଗ୍ରାମର ଜଣେ ୯ ବର୍ଷର ଶିଶୁ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷାବୃତ୍ତି କରୁଛି । ଏହି ଶିଶୁ ପୁତ୍ର ଜଣକ ହେଉଛନ୍ତି ଶିରାପୁର ଉଦୟ ନାରାୟଣ ବିଦ୍ୟାପୀଠରେ ଚତୁର୍ଥ ଶ୍ରେଣୀରେ ସେ ପଢୁଥିବା ୯ ବର୍ଷର ବାଳକ ଚନ୍ଦ୍ରକାନ୍ତ ଜେନା । ତେବେ ତାଙ୍କର ବାପା ଉମେଶ ଜେନା ବାହାର ରାଜ୍ୟରେ ରହି ଦାଦନ ଖଟୁଥିବା ବେଳେ ସେ କ୍ୟାନ୍ସରରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ସମ୍ବଳ ଥିଲା କଟକ ବଡ଼ ମେଡ଼ିକାଲରେ ଚିକିତ୍ସାରେ ସବୁ ସରିଯାଇଥିଲା । ତାଙ୍କର ଶବ ଘରକୁ ଆଣିବା ପାଇଁ ପାଖରେ ଟଙ୍କାଟିଏ ନଥିବାରୁ ସୋରର ସ୍ୱେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ସହାୟତାରେ ଘରକୁ ଆଣି ଶବଦାହ କରିଥିଲେ ।
ଶୁଦ୍ଧିକ୍ରିୟା ପାଇଁ ଅର୍ଥ ନଥିବାରୁ ମୃତ ଉମେଶଙ୍କର ବଡ଼ ପୁଅ ଚନ୍ଦ୍ରକାନ୍ତ ଘର ଘର ବୁଲି ଭିକ୍ଷା କରୁଛନ୍ତି । ଘରେ ଉମେଶଙ୍କ ସ୍ତ୍ରୀ ଏବଂ ୩ ବର୍ଷର ସାନପୁଅ ଅଛନ୍ତି । ପିଲାଙ୍କୁ କେମିତି ମଣିଷ କରିବେ ସେ ଚିନ୍ତାରେ ଉମେଶଙ୍କ ସ୍ତ୍ରୀ । ଉମେଶଙ୍କ ପରିବାରର ଏହି କଷ୍ଟ ଦେଖିନପାରି ଆଦର୍ଶ ଯୁବ ପରିଷଦର ବସନ୍ତ ରାଉତ ଏବଂ ଅନ୍ୟ କିଛି କର୍ମକର୍ତ୍ତା ଚନ୍ଦ୍ରକାନ୍ତଙ୍କ ସହିତ ମିଶି ଘରକୁ ଘର ବୁଲି ଭିକ୍ଷା ମାଗୁଛନ୍ତି । ଏହି ଟଙ୍କାରେ ଚନ୍ଦ୍ରକାନ୍ତଙ୍କର ମାଆଙ୍କୁ କୌଣସି ଏକ ବ୍ୟବସାୟ ପାଇଁ କିମ୍ବା ଦୋକାନ କରାଇଦେଲେ ସେ ତାଙ୍କର ପରିବାର ସହିତ ପିଲାମାନଙ୍କୁ ମଣିଷ କରିପାରିବେ । ଗାଁର ଲୋକମାନେ ଯୁବ ପରିଷଦର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ପିଲାଟିକୁ ମଧ୍ୟ ସହାୟତା କରୁଛନ୍ତି ।