ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲ ଜିଲ୍ଲାର ରିଖନିଖାଲ ଅଞ୍ଚଳରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଏକ ଗଭୀର ଘାଟି ଭିତରକୁ ଖସିପଡ଼ିଥିଲା। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଥିବା ଜଣାପଡିଛି । ଗାଡ଼ିଟି ଭଙ୍ଗଲୱାଡ଼ ଗାଁ ଅଭିମୁଖେ ଯାଉଥିବା ସମୟରେ ରିଖନିଖାଲର କଲୱାଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁଃଖଦ ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉନ୍ନତ ଚିକିତ୍ସା କେନ୍ଦ୍ରକୁ ଏୟାରଲିଫ୍ଟ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡର ତେହରି ଗଢ଼ୱାଲରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଥିଲା। ହରିଦ୍ୱାରରୁ ଚମୋଲି, ଯୋଶୀମଠ ଓ ବଦ୍ରିନାଥ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭୋର ସମୟରେ ଗୁଲାର ପୋଲ ନିକଟରେ ପ୍ରାୟ ୧୦୦ ମିଟର ଗଭୀର ଘାଟିକୁ ଖସିପଡ଼ିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।










