ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସରେ ଦମ୍ ଦେଖାଇବେ ଭାରତୀୟ ମୁଷ୍ଟିଯୋଦ୍ଧା । ଏଥିପାଇଁ ଘୋଷଣା ହୋଇଛି ୧୭ ଜଣିଆ ଭାରତୀୟ ଦଳ । ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ଏକ ନମ୍ବର ମୁଷ୍ଟିଯୋଦ୍ଧା ମୀନାକ୍ଷୀ ହୁଡ୍ଡା ଏବଂ ବିଶ୍ୱ ବକ୍ସିଂ କପ୍ର ସ୍ୱର୍ଣ୍ଣ ପଦକ ବିଜୟିନୀ ଜ୍ୟୋତି ଗୁଲିଆ ଭାରତୀୟ ଦଳର ନେତୃତ୍ୱ ନେବେ । ଉଜ୍ବେକିସ୍ତାନର ରାଜଧାନୀ ତାସକେଣ୍ଟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ ।ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ୮ ଜଣ ପୁରୁଷ ଓ ୯ ଜଣ ମହିଳା ମୁଷ୍ଟିଯୋଦ୍ଧା ଅଂଶଗ୍ରହଣ କରିବେ । ମୀନାକ୍ଷୀ ହୁଡ୍ଡା ୫୧ କିଲୋଗ୍ରାମ ଓଜନ ବର୍ଗରେ ଇଟାଲୀର ମାର୍ଟିନା ଭାସାଲୋଙ୍କୁ ଭେଟିବେ । ସେହିପରି ୪୮ କିଲୋଗ୍ରାମ ଓଜନ ବର୍ଗରେ ଜ୍ୟୋତି ଗୁଲିଆ ଥାଇଲାଣ୍ଡର ଥିପସାଚା ୟୋଡୱାରୀଙ୍କ ସହ ମୁକାବିଲା କରିବେ । ଉଭୟ ଖେଳାଳିଙ୍କ ପୂର୍ବ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେମାନଙ୍କଠାରୁ ପଦକ ଆଶା କରାଯାଉଛି ।










