ଭୁବନେଶ୍ୱର : ରାଜଧାନୀରେ ପୁଣି ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ଭୁବନେଶ୍ବର ରାସ୍ତା ଉପରେ ସାନ କୁମ୍ଭୀର ଏବଂ ବଡ଼ କୁମ୍ଭୀରର ଆତଙ୍କ । ଚନ୍ଦ୍ରଶେଖରପୁର ଫାୟାର ଷ୍ଟେସନ ସମ୍ମୁଖରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ। ଏହି ଆକ୍ରମଣରେ ରାଜା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଦୁଇଟି ବାଇକ୍ରେ ୩ ଜଣ ଦୁର୍ବୃତ୍ତ ଆସି ହଠାତ୍ ରାଜାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ରାଜାଙ୍କୁ ଉଦ୍ଧାର କରିଥିଲା । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜଙ୍କ ଦୁଇ ହାତ ଓ ପିଠିରେ ଗଭୀର କ୍ଷେତ ଥିବା ସୂଚନା ମିଳିଛି । ଆକ୍ରମଣର ଶୀକାର ହୋଇଥିବା ରାଜା କହିଛନ୍ତି ଯେ, ସାନ କୁମ୍ଭୀର ଓ ବଡ଼ କୁମ୍ଭୀର ଦୁଇଜଣ ସଙ୍ଗ ତାଙ୍କୁ ହାଣିଛନ୍ତି । ତେବେ ତାଙ୍କ ସହିତ ରାଜଙ୍କ କୌଣସି ପୂର୍ବ ଶତ୍ରୁତା ନଥିବା କହିଛନ୍ତି। ସେ ଆଉ କାହାକୁ ଆକ୍ରମଣ କରିବାକୁ ଆସିଥିବା ବେଳେ ତାଙ୍କର ଖଣ୍ଡା ଚୋଟର ଶୀକାର ହୋଇଛନ୍ତି । ଅନ୍ୟପଟେ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାକୁ ପୁଲିସ ଯାଞ୍ଚ କରୁଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଘଟଣାର କାରଣ ଖୋଜିବାକୁ ତଦନ୍ତ ଜାରି ରହିଛି ।










