20.1 C
Bhubaneswar
Friday, November 27, 2026
Homeଓଡିଶାଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟରେ ବୁଝାମଣା...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁଦୃଢ଼ ଓ ପ୍ରଯୁକ୍ତିଭିତ୍ତିକ କରିବା ସହ ହିତାଧିକାରୀଙ୍କ ନିକଟରେ ସରକାରୀ ସୁବିଧାର ସୁବ୍ୟବସ୍ଥିତ ପହଞ୍ଚ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (CBDC)ର ଉପଯୋଗ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଦୃତ ଡିଜିଟାଲ କାରବାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନସ୍ଥ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆହୁରି ସୁଦୃଢ ହୋଇପାରିବ । ଏହା ମାଧ୍ୟମରେ ସରକାରଙ୍କ ପକ୍ଷରୁ ଥିବା ଆବଶ୍ୟକୀୟ ପୈଠ ସୁଲଭ ମୂଲ୍ୟ ଦୋକାନର ଡିଲର ମାନଙ୍କ ପ୍ରଚଳିତ ବ୍ୟାଙ୍କ ଆକାଉଣ୍ଟ ପରିବର୍ତ୍ତେ ଡିଜିଟାଲ ୱାଲେଟକୁ ଯିବ । ଏହି ଆପ-ଭିତ୍ତିକ ପୈଠ ଦ୍ୱାରା ନଗଦ କାରବାର ରୋକିବା ସହ ସ୍ୱଚ୍ଛତା ବଜାୟ ରହି ପାରିବ। ଏହି ବୁଝାମଣାପତ୍ର ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଡ. ଗୁଣନିଧି ପରିଡ଼ା ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଉପମହାପ୍ରବନ୍ଧକ ରାଜ କୁମାର ସିଂହ ମଧ୍ୟରେ ଆଜି ଲୋକ ସେବା ଭବନରେ ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଓଡ଼ିଶା ଜୋନାଲ ମୁଖ୍ୟ ତଥା ମହାପ୍ରବନ୍ଧକ ଭୂଷଣ ଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ଵାକ୍ଷରିତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅତିରିକ୍ତ ଶାସନ ଶ୍ରୀ ସୁଦାମ ଚରଣ ମଣ୍ଡଳ ଓ ଶ୍ରୀକାନ୍ତ କୁମାର ବେହୁରା, ଅର୍ଥ ପରାମର୍ଶଦାତା ତଥା ଅନୁଶାସନ ସଚିବ ଶ୍ରୀମତୀ ପୁଷ୍ପଶ୍ରୀ ସାହୁ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ଶ୍ରୀ ଆକାଶ ମହାନ୍ତି ଏବଂ ମୁଖ୍ୟ ପ୍ରବନ୍ଧକ (ସୂଚନା ପ୍ରଯୁକ୍ତି) ଶ୍ରୀ ରଜନୀଶ କାନୱତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଯୋଜନାକୁ ପ୍ରଥମ ପର୍ଯ୍ୟାୟରେ ଖୋରଧା ଓ କଟକ ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ ଯୋଜନାର କାର୍ଯ୍ୟକାରିତା ଓ ପରିଚାଳନାଗତ ବ୍ୟବସ୍ଥାର ସଫଳତା ଆକଳନ କରାଯିବା ସହ ପିଏମ୍‌ଜିକେଏୱାଇ ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରାର ବ୍ୟବହାରକୁ ସୁଗମ କରାଯିବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, CBDC ପ୍ଲାଟଫର୍ମର ଉପଯୋଗ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା। ଏହାଦ୍ୱାରା ସରକାରୀ କଲ୍ୟାଣକାରୀ ଯୋଜନାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ସହ କାର୍ଯ୍ୟକାରିତାରେ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ସମ୍ଭବ ହେବ। ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକ ଡିଜିଟାଲ ପ୍ରଯୁକ୍ତି ସହ ଯୋଡ଼ିବା ଦିଗରେ ଏହି ସହଯୋଗ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ରାଜ୍ୟରେ ଅଧିକ ସ୍ୱଚ୍ଛ, ଦକ୍ଷ ଓ ସମାବେଶୀ ଜନକଲ୍ୟାଣକାରୀ ବଣ୍ଟନ ବ୍ୟବସ୍ଥା ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking