କଟକ: ବାରଙ୍ଗ ଗୋଡ଼ିସାହି କାର୍ ନିକଟରେ ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ କଟକ କଲ୍ୟାଣ ନଗରର ସନ୍ତୋଷ ସାହୁ ବୋଲି ଜଣାପଡିଛି। ଜୋନ୍-୪ ଏସିପି କହିଛନ୍ତି ସନ୍ତୋଷ ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ଘରେ ରହି କାମ କରନ୍ତି। ପାରିବାରିକ ଅଶାନ୍ତି ପାଇଁ ଘରୁ ବାହାରିଥିବା ନେଇ ତାଙ୍କ ସ୍ତ୍ରୀ କହିଛନ୍ତି। ପେଟ୍ରୋଲ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଆହୁରି ମଧ୍ୟ ସେ କହିଛନ୍ତି ସିସିଟିଭି ଫୁଟେଜରେ ସନ୍ତୋଷ ଏକା ଯାଇଥିବା ଦେଖିବାକୁ ମିଳିଛି। କିଛି ସମୟ କାର ଛିଡ଼ା ହୋଇ ଜଳିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଚରମ ପଦକ୍ଷେପ ନେଇଥିବା ଭାବୁଛୁ, ଅନ୍ୟାନ୍ୟ ଦିଗରୁ ବି ତଦନ୍ତ କରୁଛୁ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଶିଳ୍ପାଞ୍ଚଳ ନିକଟରେ ହଠାତ୍ ଏକ କାରରେ ନିଆଁ ଲାଗିଯାଇଥିଲା। ଫଳରେ କାର ଭିତରେ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ। ପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁରେ କାରଟିର ଅଧିକାଂଶ ଅଂଶ ପୋଡ଼ି ନଷ୍ଟ ହୋଇଯାଇଥିଲା। ଆଜି ମୃତକଙ୍କ ପରିଚୟ ମିଳିଛି।










