24.1 C
Bhubaneswar
Thursday, November 26, 2026
Homeଓଡିଶାଡିସେମ୍ବରରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗ ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ବିବାଦ...

ଡିସେମ୍ବରରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗ ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ବିବାଦ ସମାଧାନ
ନ ହେବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର : ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ନ ହେବା ଓଡ଼ିଶା ପାଇଁ ବଡ଼ ଅପମାନ । କୋଟିଆରେ ୨ ଡିସେମ୍ବର ୨୦୨୬ରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶା ସରକାର ଆନ୍ଧ୍ର ଆଗରେ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ । କୋଟିଆ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ଏହା କେବଳ ପ୍ରଶାସନିକ ବିଫଳତା ନୁହେଁ; ଏହା ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ଅପମାନ । କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦୁଇ ଥର ଚିଠି ଲେଖି ସତର୍କ କରିଥିଲେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ୧୯ ଅକ୍ଟୋବର ୨୦୨୬ର ପ୍ରଥମ ଚିଠିରେ କୋଟିଆର ବିବାଦିତ ଗ୍ରାମଗୁଡ଼ିକରେ ଆନ୍ଧ୍ର୍ର ନିର୍ବାଚନ ଘୋଷଣା କରିବା ଗଭୀର ଚିନ୍ତାର ବିଷୟ ବୋଲି କହିଥିଲେ । ୪ ନଭେମ୍ୱର ୨୦୨୬ର ଦ୍ୱିତୀୟ ଚିଠିରେ ଶ୍ରୀଯୁକ୍ତ ପଟ୍ଟନାୟକ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଓ ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ ଆଗକୁ ବଢ଼ାଇ ଚାଲୁଥିବାରୁ ଏହି ବିଷୟକୁ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହିତ ସର୍ବୋଚ୍ଚ ସ୍ତରରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କହିଥିଲେ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ସୀମା ଅଖଣ୍ଡତା ରକ୍ଷା ପାଇଁ ସଂଘର୍ଷ କରିଥିଲା ବିଜେଡି ସରକାର । କୋଟିଆ ଉନ୍ନତି ପାଇଁ ପ୍ରତିବଦ୍ଧ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳରେ ଥିବାବେଳେ କୋଟିଆ ପ୍ରସଙ୍ଗରେ ଅନେକ ବୟାନ ବାଜି କରୁଥିବା ବିଜେପି, ସରକାରକୁ ଆସିବା ପରେ ଚୁପ କାହିଁକି ? ବିଜେପି କ୍ଷମତାକୁ ଆସିବାର ଅଢେଇ ବର୍ଷ ମଧ୍ୟରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ ତାହା ବିଜେପି ସରକାର କରିଲେ ନାହିଁ । ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହିଁ ।

ଡ଼ ମହାନ୍ତି ଆହୁରି କିହଥିଲେ ଯେ, ୨୦୨୪ ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାରରେ ଡବଲ ଇଞ୍ଜିନ ସରକାର କୋଟିଆ ସମସ୍ୟା ସମାଧାନ ପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଆନ୍ଧ୍ରରେ ଶାସନ କରୁଥିବା ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ୍ ପାର୍ଟି ବିଜେପି ନେତୃତ୍ୱାଧୀନ ଏନ୍ଡିଏର ଏକ ସହଯୋଗୀ ଦଳ । କେନ୍ଦ୍ରରେ ବିଜେପି ସରକାର ଗଠନରେ ତେଲୁଗୁ ଦେଶମ ପାର୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହି ରାଜନୈତିକ ନିର୍ଭରଶୀଳତା କାରଣରୁ ଡବଲ ଇଞ୍ଜିନ ସରକାର ଯେଉଁ ଅସହାୟତା ପ୍ରକାଶ କରୁଛି, ତାହା ସମଗ୍ର ଓଡ଼ିଆ ଜାତି ପ୍ରତି ଅପମାନ । ବିଜେପି ସରକାର ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଅସମର୍ଥ । ଡବଲ ଇଞ୍ଜିନ ସରକାର ତୁରନ୍ତ କୋଟିଆରେ ଆନ୍ଧ୍ରର ସମସ୍ତ ନିର୍ବାଚନୀ କାର୍ଯ୍ୟକଳାପ ବନ୍ଦ କରାନ୍ତୁ । ସୁପ୍ରିମକୋର୍ଟରେ ଦୃଢ଼ ଆଇନଗତ ପଦକ୍ଷେପ ନିଅନ୍ତୁ । କୋଟିଆ ସମସ୍ୟାକୁ ନେଇ କୌଣସି ସାଲିସ୍ କରନ୍ତୁ ନାହିଁ ସରକାର । ସୀମା ସୁରକ୍ଷା ଓ ଓଡ଼ିଆ ଅସ୍ମିତା ରକ୍ଷା କରିବା ସରକାରର ପ୍ରାଥମିକ ଦାୟିତ୍ୱ । ବିଜେପି ଯଦି ଏହା କରିବାରେ ବିଫଳ ହୁଏ, ତେବେ ଓଡ଼ିଶାବାସୀ ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking