23.1 C
Bhubaneswar
Friday, November 20, 2026
Homeଓଡିଶାବାତ୍ୟାର ପ୍ରକୋପ କମ୍ ଥିବାରୁ ରାଜ୍ୟରେ କ୍ଷୟକ୍ଷତି ନିୟନ୍ତ୍ରଣରେ ରହିଛି: ବିଜେଡି

ବାତ୍ୟାର ପ୍ରକୋପ କମ୍ ଥିବାରୁ ରାଜ୍ୟରେ କ୍ଷୟକ୍ଷତି ନିୟନ୍ତ୍ରଣରେ ରହିଛି: ବିଜେଡି

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପରିଚାଳନାରେ ବ୍ୟାପକ ବିଫଳତା ହାସଲ କରି ବିଭିନ୍ନ ବର୍ଗ ଦ୍ୱାରା ତୀବ୍ର ସମାଲୋଚନାର ଶିକାର ହେବା ପରେ ବାତ୍ୟା ଅକୱାନକୁ ସମ୍ମୁଖୀନ ହେବା ପାଇଁ ରାଜ୍ୟ ବିଜେପି ସରକାର ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲକୁ ଆପଣେଇବାକୁ ଉଦ୍ୟମ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ସାଙ୍ଗକୁ ଅକୱାନ ବାତ୍ୟାର ପ୍ରକୋପ କମ୍ ଥିବାରୁ, ସେପରି ବିଶେଷ କ୍ଷୟକ୍ଷତି ହୋଇନାହିଁ ବୋଲି ବିଜୁ ଜନତା ଦଳ କହିଛି ।ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ
ଡ଼ ଲେନିନ ମହାନ୍ତି କହିଛନ୍ତି, ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଓ ୧୯୯୯ ମହାବାତ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ, ୨୦୦୦ ମସିହାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ, ଏହାର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ନେଇଥିଲେ ।

ରାଜ୍ୟର ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଗୁଡିକରେ, ବାତ୍ୟା ସହାୟତା ସ୍ଥଳୀ ନିର୍ମାଣ ଓ ଓଡ୍ରାଫ ପ୍ରତିଷ୍ଠା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସୁଦୃଢ଼ ମଡେଲ ପ୍ରସ୍ତୁତ କରିଥିଲେ । ନବୀନ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମଡେଲ ଯୋଗୁଁ ବିଭିନ୍ନ ସମୟରେ ରାଜ୍ୟରେ ବାତ୍ୟା ଆସିଥିଲେ ମଧ୍ୟ କ୍ଷୟକ୍ଷତିର ପରିମାଣ ସାମାନ୍ୟ ରହିଥିଲା ଓ ଜିରୋ କାଜୁଆଲିଟିର ଲକ୍ଷ୍ୟ ହାସଲ ହୋଇପାରୁଥିଲା । ନିୟମିତ ବ୍ୟବଧାନରେ ଓଡିଶାକୁ ଆସିଥିବା ବିପର୍ଯ୍ୟୟ ଗୁଡିକର ସଫଳ ମୁକାବିଲା ହୋଇପାରିଥିବାରୁ, ଓଡିଶା ଦେଶ ବିଦେଶରେ ପ୍ରଶଂସିତ ହୋଇଥିଲା । ଆନ୍ତର୍ଜାତୀୟ ପ୍ରତିଷ୍ଠିତ ସଂସ୍ଥା, ଯୁନାଇଟେଡ ନେସନ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲକୁ ପ୍ରଶଂସା କରିଥିଲା । କିନ୍ତୁ, ବାତ୍ୟା ଅର୍ଣ୍ଣବ ସମୟରେ ଏହାର ମୁକାବିଲା ରାଜ୍ୟ ସରକାରଙ୍କ ଦ୍ୱାରା ଅତ୍ୟନ୍ତ ଖାମଖିଆଲି ଢଙ୍ଗରେ କରାଯିବା ସହିତ ରାଜ୍ୟରେ ମହଜୁଦ ଥିବା ବିପର୍ଯ୍ୟୟ ପରିଚାଳନା ମଡେଲରେ ଥିବା ପ୍ରୋଟୋକଲକୁ ଅବମାନନା କରାଯାଇଥିଲା । ବାତ୍ୟା ଅର୍ଣ୍ଣବ ଓ ଏହାର ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବନ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ସହିତ ପ୍ରାୟ ୧୩ ଜଣ ବ୍ୟକ୍ତିଙ୍କ ଜୀବନହାନି ଘଟିଥିଲା, ଯେଉଁଥିପାଇଁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ଡ଼ ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ଏକ ପ୍ରତିଷ୍ଠିତ ବିପର୍ଯ୍ୟୟ ପରିଚାଳନା ମଡେଲ ଥିବା ସତ୍ତ୍ୱେ, ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ବିଫଳ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କିନ୍ତୁ, ଅକୱାନ ମୁକାବିଲା ସମୟରେ ସମ୍ଭବତଃ ରାଜ୍ୟ ସରକାରଙ୍କ ଚେତା ପଶିଲା ଓ ସରକାର ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲକୁ ଲାଗୁ କରିବା ପାଇଁ ଉଦ୍ୟମ କଲେ । ଏହାଛଡା, ବାତ୍ୟା ଅକୱାନର ପ୍ରକୋପ ମଧ୍ୟ କମ୍ ରହିଥିବାରୁ, ପୂର୍ବ ବାତ୍ୟା ପରି କ୍ଷୟକ୍ଷତି ହୋଇନଥିଲା । ତେଣୁ ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲକୁ ଲାଗୁ କଲେ, ରାଜ୍ୟବାସୀ ବ୍ୟାପକ କ୍ଷୟକ୍ଷତିରୁ ବଞ୍ଚିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking