ଭୁବନେଶ୍ୱର : ବାତ୍ୟା ଅକଓ୍ୱାନ ନେଇ ବଢିଲା ଚିନ୍ତା । ଶୁକ୍ରବାର ମଧ୍ୟାହ୍ନ ବେଳକୁ ଗୋପାଳପୁର ନିକଟରେ ସ୍ଥଳଭାଗ ସ୍ପର୍ଶ କରିପାରେ ବାତ୍ୟା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ । ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ପ୍ରକୋପ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅକଓ୍ୱାନ୍’ । ଧୀରେ ଧୀରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଗୋପାଳପୁର ନିକଟରେ ସ୍ଥଳଭାଗ ସ୍ପର୍ଶ କରିପାରେ ବାତ୍ୟା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବାର ଆକଳନ କରାଯାଇଛି । ପବନର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଯାହା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ।ବାତ୍ୟାର ପ୍ରଭାବ ଆଜି ମଧ୍ୟରାତ୍ରିରୁ ଅନୁଭୂତ ହେବା ଆରମ୍ଭ ହୋଇପାରେ । ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗ ମଧ୍ୟ ବଢ଼ିବାର ଆକଳନ ରହିଛି । ରାତି ବଢ଼ିବା ସହ ପାଣିପାଗରେ ପରିବର୍ତ୍ତନ ଆହୁରି ସ୍ପଷ୍ଟ ହୋଇପାରେ । ତେଣୁ ବାତ୍ୟାର ପ୍ରଭାବ ଆରମ୍ଭ ହେବା ପୂର୍ବରୁ ସତର୍କ ରହିବା ଜରୁରୀ ।










