ଭୁବନେଶ୍ୱର: ଜମିହୀନ ପରିବାରଙ୍କୁ ଘରଡିହ ଯୋଗାଇବା ପାଇଁ ଆୟ ସୀମା ବୃଦ୍ଧି କରିଛନ୍ତି ସରକାର । ବାର୍ଷିକ ପରିବାର ଆୟ ସୀମା ୧ ଲକ୍ଷ ଟଙ୍କାରୁ ବଢ଼ାଇ ଦେଢ଼ ଲକ୍ଷ ଟଙ୍କା କରାଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟକ ଜମିହୀନ ପରିବାର ବସୁନ୍ଧରା ଯୋଜନାରେ ଘରଡିହ ପାଇବାକୁ ଯୋଗ୍ୟ ହୋଇପାରିବେ । ଏଥିରେ ଅଙ୍ଗନବାଡ଼ି ଓ ଆଶା ଦିଦିଙ୍କ ଭଳି କର୍ମୀଙ୍କ ପରିବାର ମଧ୍ୟ ଉପକୃତ ହେବେ ।
ଜମିହୀନ ପରିବାରଙ୍କୁ ଘର ନିର୍ମାଣ ପାଇଁ ଜମି ଯୋଗାଇବା ଉଦ୍ଦେଶ୍ୟରେ ସରକାର ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଜମି ଯୋଗାଇ ଦିଆଯାଏ। ତେବେ ଅଧିକ ଲୋକଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଜମିହୀନଙ୍କ ସଂଜ୍ଞାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଘରଡିହ ନଥିବା ପରିବାର ହିଁ ଏହି ଯୋଜନାରେ ଜମି ପାଇବାକୁ ଯୋଗ୍ୟ ହେଉଥିଲେ । ଏବେ ଅଳ୍ପ ପରିମାଣର ଘରଡିହ ଥିଲେ ମଧ୍ୟ ଯୋଗ୍ୟତା ଅନୁସାରେ ଜମି ପାଇବାର ବାଟ ଖୋଲିଛି। ୨୦୨୫ରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ନିୟମରେ ସଂଶୋଧନ କରି ଘରଡିହ ନଥିବା ବ୍ୟକ୍ତିଙ୍କ ସଂଜ୍ଞାକୁ ବ୍ୟାପକ କରାଯାଇଥିଲା ।










