ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କିସ୍ତୱାଡ ଜିଲ୍ଲାରୁ ନିଖୋଜ ହୋଇଥିବା ଦୁଇ ଜଣ ସ୍ପେଶାଲ ପୋଲିସ ଅଫିସରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ଦୁହିଁଙ୍କ ଶରୀରରେ ଏକାଧିକ ଗୁଳିମାଡ ଚିହ୍ନ ରହିଥିବା ଜଣାପଡିଛି । ତେବେ ସେମାନଙ୍କ ପାଖରେ ସର୍ଭିସ ବନ୍ଧୁକ ମିଳିନାହିଁ । ଏହି ଘଟଣାକୁ ନେଇ ସୁରକ୍ଷା ଏଜେନ୍ସିଗୁଡିକ ମଧ୍ୟରେ ଚିନ୍ତା ବଢିଛି । ସୂଚନା ଅନୁସାରେ, କିନ୍ତୱାଡ ଜିଲ୍ଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରେ ବୁଧବାର ଦୁଇ ଜଣ ଏସପିଓ ନିଖୋଜ ହୋଇଯାଇଥିଲେ । ବାବି ଚନ୍ଦ ଓ ରଶପାଲ କୁମାର ନାଏକ ଏହି ଦୁଇ ଅଧିକାରୀ କିୟାର ଗାଁରେ ଥିବା କ୍ୟାମ୍ପରୁ ଧରନା- ମରୱାହ ସ୍ଥିତ ସେନା ଚେକପୋଷ୍ଟକୁ ଯାଉଥିଲେ । ହେଲେ ନିର୍ଦ୍ଧାରିତ ସ୍ଥାନରେ ସେମାନେ ପହଞ୍ଚିନଥିଲେ । ପରେ ଉଭୟଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ଗୁଳି ଫୁଟିବାର ଶବ୍ଦ ଶୁଣିନଥିବା ସୂଚନା ମିଳିଥିଲା । ଏହାପରେ ପୁଲିସ ଓ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ମିଳିତ ଭାବେ ବଡଧରଣର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଦୁର୍ଗମ ପାହାଡିଆ ଅଞ୍ଚଳ ଓ ଘଞ୍ଚ ଜଙ୍ଗଲରେ ସୁରକ୍ଷା ବାହିନୀର ଟିମ ମୁତୟନ କରାଯାଇ ଖୋଜାଖୋଜି ଚାଲିଥିଲା । ଉଦ୍ଧାର ହୋଇଥିବା ଦୁଇ ଏସପିଓ ସ୍ଥାନୀୟ ପୁଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପରେ ନିୟୋଜିତ ଥିଲେ । ସେମାନଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ବଢିଛି ।










