28.1 C
Bhubaneswar
Monday, November 9, 2026
Homeଓଡିଶା୧୭ରୁ ୨୦ ମଧ୍ୟରେ ଉପକୂଳ ଜିଲ୍ଲାରେ ହୋଇପାରେ ବର୍ଷା

୧୭ରୁ ୨୦ ମଧ୍ୟରେ ଉପକୂଳ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ବର :ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ନୂଆ ସିଷ୍ଟମ ସୃଷ୍ଟି ହୋଇଥିବା ସୂଚନା ଦିଆଯାଇଛି। ତେବେ ଏହି ସିଷ୍ଟମ କେବେ ଅବପାତର ରୂପ ନେବ? କେଉଁ ଗତିପଥ ଦେଇ ଗତି କରିବ? ଏହା ବାତ୍ୟାର ରୂପ ନେବ କି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଏହି ସିଷ୍ଟମକୁ ନେଇ ନିଜର ମତ ରଖିଛନ୍ତି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ। ତାଙ୍କ କହିବା ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଏହି ସିଷ୍ଟମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହା ଶ୍ରୀଲଙ୍କା ଦେଇ ତାମିଲନାଡୁ ଆଡ଼କୁ ଗତି କରିବା ସହ ପରବର୍ତ୍ତୀ ସମୟରେ ସାମାନ୍ୟ ଉତ୍ତର ଦିଗକୁ ମୁହାଁଇପାରେ। ବିଶେଷ କରି ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ଏହାର ପ୍ରଭାବ ରହିବ। ଏହି ସିଷ୍ଟମ ଧୀରେ ଧୀରେ ଘନୀଭୂତ ହେବା ସହ ଅବପାତର ରୂପ ନେଇପାରେ। ତେବେ ଏହି ଅବପାତ ବାତ୍ୟାର ରୂପ ନେବ କି ନାହିଁ, ସେନେଇ ବର୍ତ୍ତମାନଠାରୁ ସଠିକ୍ ଭାବେ କିଛି କହିବା ସମ୍ଭବ ନୁହେଁ। ଅନ୍ୟପଟେ ଏହି ସିଷ୍ଟମ ପ୍ରଭାବରେ ଓଡ଼ିଶାରେ ୧୭ରୁ ୨୦ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ। ପ୍ରବଳ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷ କରି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ। ଏହାସହ କନ୍ଧମାଳ ଜିଲ୍ଲାରେ ମଧ୍ୟ ଅଳ୍ପ ବହୁତ ବର୍ଷା ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking