ପଦ୍ମପୁର: ବିଲରୁ ରକ୍ତାକ୍ତ ଅବସ୍ଥାରେ ମିଳିଲା ଚାଷୀଙ୍କ ମୃତଦେହ। ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗାଁରେ ଘଟିଛି ଏହି ଘଟଣା । ବିଲ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି। ମୃତକ ହେଲେ ଡଭା ଗାଁର ରାମଲାଲ କଲେତ। ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ମୁଣ୍ଡରେ ଆଘାତ କରି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାମଲାଲ ଗତକାଲି ନିଜ ବିଲରୁ ଅମଳ ଧାନ ଖଳାକୁ ସାଇକେଲ ଯୋଗେ ନେଉଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସମୟରେ ବିଲ ମଧ୍ୟରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଝାରବନ୍ଧ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।










