ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ ସମୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତବ୍ୟରତ ଜଣେ ସରକାରୀ ଅଧିକାରୀଙ୍କୁ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଦୁର୍ବ୍ୟବହାର କରି ହତ୍ୟା ଧମକ ଦେବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏଭଳି ଆଚରଣ ପାଇଁ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିନାଶକାରୀ ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବା ବେଳେ ରିଲିଫ୍ ବଣ୍ଟନରେ ବିଧାୟକ ବାଧା ସୃଷ୍ଟି କରିବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦାୟିତ୍ୱ ନିର୍ବାହ କରୁଥିବା ଜଣେ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବନ୍ୟା ବିପନ୍ନ ପରିବାର ଏହି ଭୟାବହ ପରିସ୍ଥିତିରୁ ମୁକୁଳିବା ପାଇଁ ସଂଘର୍ଷ କରୁଛନ୍ତି । ସରକାରୀ ସହାୟତା ପାଇଁ ଆକୁଳ ଅପେକ୍ଷା କରିଥିବା ପରିବାର ଗୁଡ଼ିକୁ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ସହଯୋଗ କରିବା ପରିବର୍ତ୍ତେ ମନ୍ତ୍ରୀ ଶ୍ରୀ ବିଭୂତି ଜେନାଙ୍କ ସହ ବ୍ୟକ୍ତିଗତ ମତଭେଦକୁ ନେଇ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଗୁଣ୍ଡାଗର୍ଦ୍ଦି କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଅଶୋଭନୀୟ ଆଚରଣ ପାଇଁ ବିଧାୟକଙ୍କ ନାଁରେ ଆସିକା ଥାନାରେ ସରକାରୀ ଅଧିକାରୀ ଶ୍ରୀ ସମୀର ଜେନା କରିଥିବା ଏତଲାର ନିରପେକ୍ଷ ତଦନ୍ତ କରାଯାଉ । ଯଦି ବିଧାୟକ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର । କୌଣସି ରାଜନୈତିକ ବା ବ୍ୟକ୍ତିଗତ ହସ୍ତକ୍ଷେପ ବିନା ସରକାରୀ ସହାୟତା ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ, ତାହାର ତଦାରଖ କରନ୍ତୁ ରାଜ୍ୟ ସରକାର ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଏଭଳି ଆଚରଣ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ପଦମର୍ଯ୍ୟାଦାକୁ କ୍ଷୁଣ୍ଣ କରୁନାହିଁ, ବରଂ ଗଞ୍ଜାମ ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ସମ୍ମାନ ହାନି କରୁଛି । ନିଜ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କୁ ରାଜନୈତିକ ଚାପ କିମ୍ୱା ଧମକ ଦେଇ ଟାର୍ଗେଟ୍ କରାଯିବା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରତିଫଳିତ କରୁଛି । ରିଲିଫ୍ ବଣ୍ଟନରେ ରାଜନୈତିକ ହସ୍ତକ୍ଷେପକୁ କେବେ ବି ବରଦାସ୍ତ କରାଯିବ ନାହିଁ । ରାଜନୈତିକ ଗୋଷ୍ଠୀ ବିବାଦ କାରଣରୁ ରିଲିଫ୍ ବଣ୍ଟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବିଜେପି ସରକାର କ’ଣ ପାଇଁ ଚୁପ୍ ରହିଛନ୍ତି ? ବିଜେଡି ଅନ୍ୟାୟ ବିରୋଧରେ ନିଜର ସ୍ୱର ଉତ୍ତୋଳନ ଜାରି ରଖିବ । ସରକାରୀ ଅଧିକାରୀମାନଙ୍କୁ କୌଣସି ରାଜନୈତିକ ହସ୍ତକ୍ଷେପ କିମ୍ୱା ଭୟ ବିନା ସ୍ୱାଧୀନ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଦିଆଯାଉ । ରାଜନୈତିକ ପ୍ରଭାବ ଉପରେ ଆଇନର ଶାସନ ଯେପରି ସର୍ବୋପରି ରହିବ, ତାହା ସୁନିଶ୍ଚିତ କରନ୍ତୁ ରାଜ୍ୟ ସରକାର ।










