31.1 C
Bhubaneswar
Sunday, November 1, 2026
Homeଓଡିଶାବାତ୍ୟା ‘ଅର୍ଣ୍ଣବ’ ପରିଚାଳନାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ବାତ୍ୟା ‘ଅର୍ଣ୍ଣବ’ ପରିଚାଳନାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଜିରୋ କାଜୁଆଲିଟି ନୀତି ସମ୍ପୂର୍ଣ୍ଣ ଫେଲ୍
ମନ୍ତ୍ରୀମାନେ “ସାଇକ୍ଲୋନ୍ ଟୁରିଜିମ୍” ଓ ଲାଲ୍ କାର୍ପେଟ୍ ସ୍ୱାଗତରେ ବ୍ୟସ୍ତ
ପ୍ରସ୍ତୁତି, ଯୋଜନା, କାର୍ଯ୍ୟାନୁଷ୍ଠାନ ଓ ରିଲିଫ ପ୍ରଦାନ ଅବ୍ୟବସ୍ଥିତ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ତା’ର ପରବର୍ତ୍ତୀ ସ୍ଥିତିକୁ ନେଇ ଓଡ଼ିଶା ସରକାର ବିପର୍ଯ୍ୟୟ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ତୀବ୍ର ସମାଲୋଚନା କରିଛି ବିଜେଡି । ଗଞ୍ଜାମ, ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ହଜାର ହଜାର ଗାଁ ଜଳମଗ୍ନ, ଶତାଧିକ ଗ୍ରାମ ବିଚ୍ଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବିଜେପି ସରକାର କେବଳ ମିଛ ଦାବି ଓ ଫଟୋସେସନ୍ରେ ବ୍ୟସ୍ତ ରହିଛି ବୋଲି ବିଜେଡି ଅଭିଯୋଗ କରିଛି ।

ଏକ ପ୍ରେସ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ସ୍ପଷ୍ଟ ଭାବରେ କହିଛନ୍ତି ଏହା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ଏହା ବିଜେପି ସରକାରର ଅଯୋଗ୍ୟତା, ଅବହେଳା ଓ ଦାୟିତ୍ୱହୀନତାର ପରିଣାମ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବହୁ ଆଗରୁ ସତର୍କ କରିଥିଲା । ତଥାପି ସରକାର ଜଳାଶୟ ପରିଚାଳନା, ନଦୀ ବନ୍ଧ ମରାମତି, ସମ୍ଭାବ୍ୟ ବନ୍ୟାପ୍ରବଣ ଅଞ୍ଚଳର ପୂର୍ବ ପ୍ରସ୍ତୁତି ଉପରେ ଧ୍ୟାନ ଦେଇନାହିଁ । ଗଞ୍ଜାମ ଓ ଗଜପତିରେ ଅନେକ ବନ୍ଧ ପୂର୍ବରୁ ଅବୈଧ ବାଲି ଉତ୍ତୋଳନ ଯୋଗୁଁ ଦୁର୍ବଳ ଥିଲା । ସରକାର ଏହାକୁ ଅଣଦେଖା କଲା । ଫଳରେ ଶତାଧିକ ଗ୍ରାମ ଜଳମଗ୍ନ ହୋଇଗଲା, ରାସ୍ତା-ପୋଲ୍ ଭାଙ୍ଗିଗଲା ଓ ହଜାର ହଜାର ପରିବାର ବିପଦରେ ପଡ଼ିଲେ । ସମୟୋପଯୋଗୀ ଓ ପର୍ଯ୍ୟାପ୍ତ ନିରାପତ୍ତା ହୋଇପାରିଲା ନାହିଁ । ଅନେକ ଗାଁ ବିଚ୍ଛିନ୍ନ ହୋଇଯିବା ପରେ ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିବାକୁ ପଡ଼ିଲା । ଏହା ସ୍ପଷ୍ଟ ଭାବେ ଦେଖାଏ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନା ଓ କାର୍ଯ୍ୟାନୁଷ୍ଠାନ ଅପର୍ଯ୍ୟାପ୍ତ ଥିଲା । କନ୍ଧମାଳରେ ଭୂସ୍ଖଳନରେ ଜୀବନହାନି ହୋଇଛି । ସରକାର “ଜିରୋ କ୍ୟାଜୁଆଲିଟି”ର ଦାବି କରୁଥିବା ବେଳେ ବାସ୍ତବତା ଭିନ୍ନ ।

ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ଅନେକ ପ୍ରଭାବିତ ପରିବାର ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ରିଲିଫ ସାମଗ୍ରୀ, ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇପାରିନାହାନ୍ତି । ରିଲିଫ ଶିବିରରେ ବ୍ୟବସ୍ଥା ଅପର୍ଯ୍ୟାପ୍ତ । ସରକାର କେବଳ କାଗଜ-କଲମରେ ରିଲିଫ ଘୋଷଣା କରୁଛି, କିନ୍ତୁ ବାସ୍ତବରେ ପରିସ୍ଥିତି ଭୟଙ୍କର । ସବୁଠାରୁ ଲଜ୍ଜାଜନକ ବିଷୟ ହେଉଛି, ବିପନ୍ନ ଲୋକଙ୍କ ଦୁଃଖରେ ମନ୍ତ୍ରୀ ଓ ବିଜେପି ନେତାମାନେ “ସାଇକ୍ଲୋନ୍ ଟୁରିଜିମ୍”ରେ ବ୍ୟସ୍ତ । ସେମାନେ ଜିଲ୍ଲାକୁ ଯାଇ ଫଟୋ ଉଠାଉଛନ୍ତି, ମିଡ଼ିଆ ସାମ୍ନାରେ ବକ୍ତବ୍ୟ ଦେଉଛନ୍ତି ଓ ଲାଲ୍ କାର୍ପେଟ୍ରେ ସ୍ୱାଗତ ଗ୍ରହଣ କରୁଛନ୍ତି । ଲୋକଙ୍କ କଷ୍ଟ ସେମାନଙ୍କ ପାଇଁ କେବଳ ଏକ ରାଜନୈତିକ ଅବସର । ଯେତେବେଳେ ଗାଁଗୁଡ଼ିକ ଜଳମଗ୍ନ ଓ ଲୋକେ ଖାଦ୍ୟ-ପାଣି ପାଇଁ ସଂଘର୍ଷ କରୁଛନ୍ତି, ସେତେବେଳେ ମନ୍ତ୍ରୀମାନେ ନିଜର ଇମେଜ୍ ବଢ଼ାଇବାରେ ବ୍ୟସ୍ତ । ଏହା ଓଡ଼ିଆ ଜନତାଙ୍କ ପ୍ରତି ଘୋର ଅପମାନ ।

ବିଜୁ ଜନତା ଦଳ ଦାବି କରୁଛି ତୁରନ୍ତ ସମସ୍ତ ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ରିଲିଫ ସାମଗ୍ରୀ, ରନ୍ଧା ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରନ୍ତୁ, କ୍ଷୟକ୍ଷତିର ସ୍ୱତନ୍ତ୍ର ଓ ସ୍ୱଚ୍ଛ ଆକଳନ କରି ଉଚିତ୍ କ୍ଷତିପୂରଣ ଦିଅନ୍ତୁ, ବନ୍ଧ ଓ ଜଳାଶୟ ପରିଚାଳନାରେ ଯେଉଁ ଅବହେଳା ହୋଇଛି, ତା’ର ଦାୟିତ୍ୱ ନିଅନ୍ତୁ, “ସାଇକ୍ଲୋନ୍ ଟୁରିଜିମ୍” ବନ୍ଦ କରି ପ୍ରକୃତ କାର୍ଯ୍ୟ କରନ୍ତୁ । ଓଡ଼ିଶାର ଜନତା ୨୪ ବର୍ଷ ଧରି ବିଜେଡି ସରକାରର ଦୃଢ଼ ବିପର୍ଯ୍ୟୟ ପରିଚାଳନା ଦେଖିଛନ୍ତି । ଆଜି ସେହି ପରମ୍ପରା ଧ୍ୱଂସ ହେଉଛି । ବିଜେପି ସରକାର ଯଦି ଏହି ଭାବେ ଚାଲିବ, ତେବେ ଓଡ଼ିଆ ଜନତା ତାଙ୍କୁ କଠୋର ଶିକ୍ଷା ଦେବେ । ବିଜୁ ଜନତା ଦଳ ସମସ୍ତ ପ୍ରଭାବିତ ପରିବାର ସହିତ ଠିଆ ହୋଇଛି । ଆମେ ନିରନ୍ତର ଲୋକଙ୍କ ପାଖକୁ ଯାଉଛୁ ଓ ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାରେ ଉନ୍ମୋଚନ କରୁଛୁ ବୋଲି ଡ. ମହାନ୍ତି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking