କୋରାପୁଟ: ଶୀତୁଆ ସକାଳରେ କୁହୁଡ଼ିର ଧଳା ଚାଦର ଘୋଡ଼ି ହୋଇଛି ବୈପାରିଗୁଡ଼ା । ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ। ପାହାଡ଼, ଜଙ୍ଗଲ, ଗଛଲତାଠାରୁ ଆରମ୍ଭ କରି ରାସ୍ତାଘାଟ ସବୁକିଛି କୁହୁଡ଼ି ଭିତରେ ଲୁଚି ରହିଛି । କୋରାପୁଟ ଜିଲ୍ଲାର ଏହି ମନୋରମ ଦୃଶ୍ୟ ଏବେ ସମସ୍ତଙ୍କ ମନ ମୋହୁଛି ।ଦୂର ପାହାଡ଼ର ଶିଖରରେ ଭାସି ବୁଲୁଛି ଧଳା ମେଘ ପରି କୁହୁଡ଼ି । ସବୁଜ ଗଛଲତା ଉପରେ କାକର ବିନ୍ଦୁ ମୁକ୍ତା ପରି ଚମକୁଛି। ଶୀତଳ ପବନ ସାଙ୍ଗକୁ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପରିବେଶକୁ କରିଦେଉଛି ଆହୁରି ମନୋରମ ।ଏହି ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସକାଳୁ ଲୋକଙ୍କ ଭିଡ଼ ଜମୁଛି। କିଏ ପ୍ରକୃତିର ଏହି ରୂପକୁ ଉପଭୋଗ କରୁଛି ତ ଆଉ କିଏ ପଡ଼ିଆରେ ବ୍ୟାୟାମ କରି ଶୀତୁଆ ସକାଳର ମଜା ନେଉଛି । କୁହୁଡ଼ିର ଏହି ଧଳା ଆସ୍ତରଣ ବୈପାରିଗୁଡ଼ାର ସୌନ୍ଦର୍ଯ୍ୟକୁ କରିଛି ଦ୍ୱିଗୁଣିତ। ପାହାଡ଼ ଓ ଜଙ୍ଗଲ ଘେରା ଏହି ଅଞ୍ଚଳ ଯେମିତି ପାଲଟିଛି ପ୍ରକୃତିର ଏକ ଜୀବନ୍ତ ଚିତ୍ରପଟ ।










