ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ଅପେକ୍ଷାରେ ଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତ ଭକ୍ତ ଜଣକ ଢେଙ୍କାନାଳ ଜିଲ୍ଲାର ଦେବରାଜ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳେ ଦେବରାଜ ସାହୁ ନିଜ ବନ୍ଧୁବାନ୍ଧବଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ସେଠାରେ ନିୟୋଜିତ ପୁଲିସ ଓ ଶ୍ରୀମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପରୀକ୍ଷାନିରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତକଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ ଏବଂ ତାଙ୍କର ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚରୁ ଜଣାପଡ଼ିଛି ଯେ, ସେ ଗତ ୩ ବର୍ଷ ଧରି ହୃଦ୍ରୋଗଜନିତ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଏଥିପାଇଁ ଚିକିତ୍ସାଧୀନ ଥିଲେ। ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁମାନ କରାଯାଉଛି ।










