ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଜୋରଦାର ହୋଇଛି ପ୍ରସ୍ତୁତି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ୮ଟି ଜିଲ୍ଲାରେ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । କିଛି ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି । ସେପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ରହିଛି । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି ।
ବିପର୍ଯ୍ୟୟର ମୁକାବିଲା ପାଇଁ ୪୮ଟି ଓଡ୍ରାଫ୍, ୮ଟି ଏନ୍ଡିଆର୍ଏଫ୍ ଏବଂ ୨୨୫ଟି ଅଗ୍ନିଶମ ଟିମ୍ ମୁତୟନ ଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସରଞ୍ଜାମ ସହ ଏହି ଟିମ୍ଗୁଡ଼ିକ ପ୍ରସ୍ତୁତ ରହିଛନ୍ତି । କେବଳ ବାତ୍ୟା ନୁହେଁ, ସମ୍ଭାବ୍ୟ ଭୂସ୍ଖଳନକୁ ନେଇ ମଧ୍ୟ ସରକାର ସତର୍କ ରହିଛନ୍ତି । ଗଜପତି ଜିଲ୍ଲାର ୧୨୫ଟି ସମ୍ବେଦନଶୀଳ ସ୍ଥାନ ଉପରେ ପ୍ରଶାସନ ନଜର ରଖିଛି। ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଉଛି ।ତେବେ ବାତ୍ୟାର ଗତିପଥ ଓ ପ୍ରଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଉଛି ।










