ପୁରୀ : ମହାପ୍ରଭୁଙ୍କ ସୁଗମ ଦର୍ଶନ ନେଇ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ସ୍ବତନ୍ତ୍ର ୱେବସାଇଟ୍ ମାଧ୍ୟମରେ ଅନ୍ଲାଇନ୍ ସ୍ଲଟ୍ ବୁକିଂ ପରେ ଏହି ସୁବିଧା ଉପଲବ୍ଧ ହେବ। ଦୈନିକ ୨୦ ଜଣଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯିବ। ଜଣେ ଦିବ୍ୟାଙ୍ଗ ୬ ମାସ ମଧ୍ୟରେ ଥରେ ଏହି ସ୍ବତନ୍ତ୍ର ସୁବିଧାର ସୁଯୋଗ ନେଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ। ଆପାତତଃ କାର୍ତ୍ତିକ ମାସ ପରେ ଏହି ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଦିବ୍ୟାଙ୍ଗ ଭକ୍ତମାନେ ଅନ୍ଲାଇନ୍ରେ ପଞ୍ଜୀକରଣ କରିବା ପରେ ତାଙ୍କୁ ସୁନିଶ୍ଚିତ ହେଲା ବୋଲି ବାର୍ତ୍ତା ପଠାଯିବ। ଦିଆଯାଇଥିବା ନିର୍ଦ୍ଦିଷ୍ଟ ଦିନରେ ଦିବ୍ୟାଙ୍ଗ ଭକ୍ତ ପୁରୀରେ ପହଞ୍ଚିବେ। ସତ୍ୟନାରାୟଣ ମନ୍ଦିର ନିକଟରୁ ତାଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଯିବାର ବ୍ୟବସ୍ଥା କରାଯିବ। ସେଠାରୁ ସେମାନଙ୍କୁ ବ୍ୟାଟେରି ଚାଳିତ ଗାଡ଼ିରେ ଉତ୍ତର ଦ୍ବାର ପର୍ଯ୍ୟନ୍ତ ନିଆଯିବ। ଉତ୍ତର ଦ୍ବାର ପାର୍ଶ୍ବରେ ରାମ୍ପ ବ୍ୟବସ୍ଥା ଥିବାରୁ ହ୍ବିଲ୍ ଚେୟାର୍ ଯୋଗେ ଭିତରକୁ ପ୍ରବେଶ କରିବେ। ଘଣ୍ଟିଦ୍ବାର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ସ୍ବେଚ୍ଛାସେବୀମାନେ ତାଙ୍କୁ ଭିତରକୁ ନେଇ ଜୟ ବିଜୟ ଦ୍ବାର ନିକଟରେ ଦର୍ଶନ କରାଇବେ। ସୁରକ୍ଷା ପାଇଁ ପୁଲିସ ସହ ମେଡିକାଲ ଟିମ୍ ମଧ୍ୟ ନିୟୋଜିତ ହେବେ।










