ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କରେ ଦେଖାଦେଇଥିବା ତିକ୍ତତାକୁ କିଛିଟା କମାଇବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଋଷଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲଗାଇବା ପାଇଁ ପ୍ରସ୍ତାବିତ ବିଲ୍କୁ ଏବେ ପାଇଁ କାର୍ଯ୍ୟକାରୀ ନକରିବାକୁ ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହି ବିଲ୍ର ନାଁ ହେଉଛି ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ୍ ଆକ୍ଟ ଅଫ୍ ୨୦୨୬’ ।
ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ଋଷଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ବଡ଼ ଆର୍ଥିକ ଚାପ ପଡ଼ିଥାଆନ୍ତା। ଏହାର ସବୁଠାରୁ ଅଧିକ ପ୍ରଭାବ ଭାରତ ଉପରେ ପଡ଼ିବାର ଆଶଙ୍କା ଥିଲା । ଏପରି ସ୍ଥିତିରେ ଦୁଇ ଦେଶର ସମ୍ପର୍କ ଆହୁରି ଖରାପ ହୋଇପାରିଥାଆନ୍ତା । ତେବେ ଟାରିଫ୍ ନେଇ ତୁରନ୍ତ ବିପଦ ଟଳିଥିଲେ ମଧ୍ୟ ଭାରତ ଓ ଆମେରିକା ମଧ୍ୟରେ ସବୁକିଛି ଠିକ୍ ହୋଇଯାଇନାହିଁ । ଟ୍ରମ୍ପଙ୍କ ବଦଳୁଥିବା ବୟାନ ଓ ନୀତିକୁ ନେଇ ଭାରତୀୟ ଅଧିକାରୀଙ୍କ ମନରେ ଅବିଶ୍ୱାସ ବଢ଼ୁଥିବା କୁହାଯାଉଛି । ବାଣିଜ୍ୟ, ଟାରିଫ୍ ଓ ଅନ୍ତର୍ଜାତୀୟ ବାଣିଜ୍ୟ ଚୁକ୍ତିକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ବାରମ୍ବାର ବଦଳୁଥିବାରୁ ଭାରତ ପାଇଁ ଦୀର୍ଘମିଆଦୀ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା କଷ୍ଟକର ହେଉଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଅନେକ ପ୍ରସଙ୍ଗରେ ମତଭେଦ ରହିଛି ।
ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଓ ଟାରିଫ୍ ସମ୍ପର୍କିତ ନିଷ୍ପତ୍ତିରେ ଅନିଶ୍ଚିତତା ରହିଥିବାରୁ ଭାରତ ଚିନ୍ତିତ। ଆଜି ଗୋଟିଏ ନିଷ୍ପତ୍ତି ନେବା ପରେ ପରବର୍ତ୍ତୀ ସମୟରେ ତାହା ବଦଳିଯିବାର ଆଶଙ୍କା ରହୁଛି । ଏହାଦ୍ୱାରା ଭାରତର ବ୍ୟବସାୟୀ, ରପ୍ତାନିକାରୀ ଓ ଶିଳ୍ପ ସଂସ୍ଥାଗୁଡ଼ିକ ଦୀର୍ଘମିଆଦୀ ଯୋଜନା କରିବାରେ ଅସୁବିଧା ଭୋଗୁଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଟ୍ରମ୍ପ ପ୍ରଶାସନର ଅନିଶ୍ଚିତ ଆଭିମୁଖ୍ୟ ଦୁଇ ଦେଶ ମଧ୍ୟରେ ଭରସାର ଅଭାବ ସୃଷ୍ଟି କରୁଛି ।
ଆମେରିକା ପାକିସ୍ତାନର ସାମରିକ ନେତୃତ୍ୱ ସହ ନିୟମିତ ଆଲୋଚନା କରିବା ଏବଂ ଆଞ୍ଚଳିକ ପ୍ରସଙ୍ଗରେ ପାକିସ୍ତାନକୁ ମଧ୍ୟସ୍ଥ ଭାବେ ଦେଖିବା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି । ୨୦୨୫ ମେ’ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପ୍ରସଙ୍ଗରେ ଟ୍ରମ୍ପଙ୍କ ବୟାନ ମଧ୍ୟ ଦୁଇ ଦେଶ ମଧ୍ୟରେ ଅସହଜତା ସୃଷ୍ଟି କରିଥିଲା । ଟ୍ରମ୍ପ ଦାବି କରିଥିଲେ ଯେ ୨୫୦ ପ୍ରତିଶତ ଟାରିଫ୍ ଲଗାଇବାର ଧମକ ଦେଇ ସେ ଯୁଦ୍ଧ ବନ୍ଦ କରାଇଥିଲେ । ସେ ଅନେକ ଥର ଭାରତ-ପାକିସ୍ତାନ ବିବାଦରେ ମଧ୍ୟସ୍ଥତା କରିବା କଥା ମଧ୍ୟ କହିଛନ୍ତି । କିନ୍ତୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଆସିଛି। ଭାରତ କହିଆସିଛି ଯେ ଯୁଦ୍ଧବିରତି ସମ୍ପର୍କିତ ନିଷ୍ପତ୍ତି ଉଭୟ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ମାଧ୍ୟମରେ ହୋଇଥିଲା । ଏଥିରେ କୌଣସି ତୃତୀୟ ପକ୍ଷର ଭୂମିକା ନଥିଲା ବୋଲି ଭାରତ ଦାବି କରିଛି ।
ଆମେରିକା ପକ୍ଷରୁ ଋଷ ଓ ଇରାନ୍ ସମ୍ପର୍କିତ କଟକଣା ଅଧୀନରେ ଅତିରିକ୍ତ ଟାରିଫ୍ ଲାଗୁ କରିବା ନେଇ ଏବେ ପାଇଁ ଆଶ୍ୱସ୍ତି ମିଳିଛି । କିନ୍ତୁ ଭାରତର ସ୍ୱାଧୀନ ବାଣିଜ୍ୟ ନୀତି, ଋଷଠାରୁ ତେଲ କିଣିବା ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆମେରିକୀୟ ଅଧିକାରୀଙ୍କ ସାର୍ବଜନୀନ ବୟାନକୁ ନେଇ ଭାରତର ଆପତ୍ତି ରହିଛି । ଭାରତ ନିଜର ଜାତୀୟ ସ୍ୱାର୍ଥକୁ ଆଧାର କରି ବିଦେଶ ନୀତି ଓ ଶକ୍ତି କ୍ରୟ ସମ୍ପର୍କିତ ନିଷ୍ପତ୍ତି ନେବାକୁ ଚାହୁଁଛି। ଏହାକୁ ‘ରଣନୈତିକ ସ୍ୱାୟତ୍ତତା’ କୁହାଯାଏ । ଅନ୍ୟ ଦେଶର ଚାପରେ ନିଜର ବାଣିଜ୍ୟିକ ଓ କୂଟନୈତିକ ନିଷ୍ପତ୍ତି ବଦଳାଇବାକୁ ଭାରତ ଚାହୁଁନାହିଁ । ତେଣୁ ଋଷଠାରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକାର ଚାପକୁ ଭାରତ ନିଜର ରଣନୈତିକ ସ୍ୱାୟତ୍ତତା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଦେଖୁଛି ।
ଭାରତ ଓ ଆମେରିକା ମଧ୍ୟରେ ରହିଥିବା ଏହି ମତଭେଦ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି ଓ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ସହଯୋଗକୁ ପ୍ରଭାବିତ କରିପାରେ । ଉଭୟ ଦେଶର ଅନେକ ସାଧାରଣ ସ୍ୱାର୍ଥ ରହିଥିଲେ ମଧ୍ୟ ବାଣିଜ୍ୟ, ଋଷ ଓ ପାକିସ୍ତାନକୁ ନେଇ ମତଭେଦ ଦୁଇ ଦେଶର ସମ୍ପର୍କକୁ ନିରନ୍ତର ପରୀକ୍ଷା କରୁଛି । ସୂତ୍ର ଅନୁସାରେ, ଟାରିଫ୍ରୁ ମିଳିଥିବା ଅସ୍ଥାୟୀ ଛାଡ଼ ତୁରନ୍ତ ଏକ ବଡ଼ ସଙ୍କଟକୁ ଟାଳିଛି। କିନ୍ତୁ ଭବିଷ୍ୟତରେ ଆଲୋଚନା ସମୟରେ ଆମେରିକା ଆର୍ଥିକ ଚାପକୁ କିପରି ବ୍ୟବହାର କରିବ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ।










