ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, କୋଟିଆ ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ, ବରଂ ଓଡ଼ିଶାର ଅସ୍ମିତାର ପ୍ରତୀକ । ଆନ୍ଧ୍ରପ୍ରଦେଶର ଯୋଜନାକୁ ପଣ୍ଡ କରିବା ପାଇଁ ରାଜ୍ୟ ସରକାର ସମସ୍ତଙ୍କୁ ଏକାଠି ହୋଇ ଲଢ଼ିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, କୋଟିଆ ପ୍ରସଙ୍ଗରେ ବ୍ଲକ୍ ସ୍ତରରେ ସର୍ବଦଳୀୟ କମିଟି ଗଠନ ହୋଇଥିବାବେଳେ ଜିଲ୍ଲା ସ୍ତରରେ ମଧ୍ୟ କମିଟି ଗଠନ କରାଯାଇଛି। କୋରାପୁଟ ଜିଲ୍ଲାରେ ବିରୋଧୀ ଦଳର ବିଧାୟକମାନଙ୍କୁ ନେଇ ଏକାଠି ଲଢ଼ିବା ପାଇଁ କମିଟି ଗଠନ ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ ଇଚ୍ଛୁକ ନଥିବା କହିବା ସହ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତେ ଏକଜୁଟ୍ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ, ୨୦୨୧ରେ ଆନ୍ଧ୍ରପ୍ରଦେଶ କୋଟିଆ ସୀମା ଭିତରେ ପୋଲିଂ ଷ୍ଟେସନ୍ କରିଥିବାବେଳେ ଏଥର ସୀମା ଆରପଟେ ପୋଲିଂ ଷ୍ଟେସନ୍ କରିଛି । ଏହାକୁ ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯାଇଛି । ଏଥିସହ ଆନ୍ଧ୍ରପ୍ରଦେଶର ପ୍ରତିନିଧିମାନଙ୍କ ଗତିବିଧି ଉପରେ ମଧ୍ୟ ଆପତ୍ତି ଉଠିଥିବା ସୂଚନା ମିଳିଛି । ବିଧାନସଭା, ଜିଲ୍ଲା ପରିଷଦ, ଗ୍ରାମପଞ୍ଚାୟତ ଓ ପୌରସଂସ୍ଥା ଭଳି ସାମ୍ବିଧାନିକ ସଂସ୍ଥାଗୁଡ଼ିକର କ୍ଷମତା ଓ ଅଧିକାରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗୋଟିଏ ସ୍ଥାନରେ ଦୁଇ ଜଣ ନିର୍ବାଚିତ ପ୍ରତିନିଧି ରହିବା ପ୍ରସଙ୍ଗରେ ଓଡ଼ିଶା ସରକାର ଆଇନଗତ ଲଢ଼େଇ ଲଢ଼ିବା ସହ କୋର୍ଟରେ ନିଜର ଦାବି ଉପସ୍ଥାପନ କରିବେ ବୋଲି କୁହାଯାଇଛି । ଏହା ପୂର୍ବରୁ ୧୯୬୮ ଓ ୨୦୦୬ ମସିହାରେ ଓଡ଼ିଶା ସରକାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୨୦୦୭ରେ ମଧ୍ୟ ଏକ ପିଟିସନ୍ରେ ପରାଜୟ ହୋଇଥିବା କୁହାଯାଇଛି । ତେଣୁ କୋଟିଆ ପ୍ରସଙ୍ଗରେ ଆଗାମୀ ଆଇନଗତ ପଦକ୍ଷେପ ଓ ରାଜନୈତିକ ଏକତା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।










