ନୂଆଦିଲ୍ଲୀ: ଗାଡ଼ିଜନିତ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ୨୦୨୯ ଏପ୍ରିଲ୍ରୁ ବିଏସ୍-୭ ନିୟମ ଲାଗୁ କରିବେ। ଗାଡ଼ିରୁ ନିର୍ଗତ ନାଇଟ୍ରୋଜେନ ଅକ୍ସାଇଡ୍, ହାଇଡ୍ରୋକାର୍ବନ ଭଳି ହାନିକାରକ ପ୍ରଦୂଷଣକାରୀ ଉପାଦାନ ହ୍ରାସ କରିବାକୁ ଏଥିରେ ଲକ୍ଷ୍ୟ ରହିଛି। ୨୦୨୯ ଏପ୍ରିଲରୁ ପ୍ରଥମେ ନୂଆ କାର୍ ଓ ଏସ୍ୟୁଭି ପାଇଁ ବିଏସ୍-୭ ଲାଗୁ କରାଯିବ।
୨୦୩୦ରୁ ସେହି ନିୟମକୁ ଛୋଟ ମାଲବାହୀ ଯାନ ଓ ପିକ୍-ଅପ୍ ଭ୍ୟାନ୍ ପାଇଁ ଏବଂ ୨୦୩୧ରୁ ଭାରି ଯାନ ଓ ବସ୍ ପାଇଁ ଲାଗୁ କରାଯିବ। ତେବେ ଦୁଇଚକିଆ ଯାନ ପାଇଁ ଏହି ନିୟମ କେବେ ଲାଗୁ ହେବ ତାହା ଧାର୍ଯ୍ୟ କରାଯାଇନାହିଁ। ୨୦୨୦ ଏପ୍ରିଲ୍ରେ ବିଏସ୍-୬ ନିୟମ ଲାଗୁ ହୋଇଥିଲା। ସେଥିପାଇଁ ତୈଳ ବିଶୋଧନ କମ୍ପାନିଗୁଡ଼ିକୁ ସେହି ମାନର ପେଟ୍ରୋଲ ଓ ଡିଜେଲ ଉତ୍ପାଦନ କରିବାକୁ ପଡ଼ିଥିଲା।
କିନ୍ତୁ ବିଏସ୍-୭ରେ କେବଳ ଗାଡ଼ି ଇଞ୍ଜିନରେ ଉନ୍ନତି ଆଣିବାକୁ ପଡ଼ିବ। ତେବେ ଏହି ନିୟମ ଦ୍ବାରା ପୁରୁଣା ଗାଡ଼ିଗୁଡ଼ିକ କୌଣସି ପ୍ରକାରରେ ପ୍ରଭାବିତ ହେବେ ନାହିଁ। ନୂଆ ବିଏସ୍-୭ ନିୟମକୁ ୨୦୨୯-୨୦୩୫ ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ଲାଗୁ କରାଯିବ। ଏହି ନିୟମ ଟ୍ରକ୍ ଓ ଭାରୀ ଯାନ ପାଇଁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ନୂଆ ନିୟମରେ ଗାଡ଼ି ପଛ ପଟେ ଥିବା ପାଇପ୍ରୁ ବାହାରୁ ଥିବା ଧୂଆଁଠାରୁ ଆଗକୁ ବଢ଼ି ସ୍ବାଧୀନ ଏଜେନ୍ସିଗୁଡ଼ିକ ଦ୍ବାରା ବିଭିନ୍ନ ମାନଦଣ୍ଡ ଆଧାରରେ ପ୍ରଦୂଷଣ ଯାଞ୍ଚ କରାଯିବ। ୟୁରୋ-୭ ଢାଞ୍ଚା ବିଏସ୍-୭ ନିୟମ ପ୍ରସ୍ତୁତ କରାଯାଇଛି।










