ଭୁବନେଶ୍ଵର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ୧୩ ତାରିଖ ବେଳକୁ ନେଇପାରେ ଲଘୁଚାପର ରୂପ । ଦଶହରାରେ ବଢିଲା ବର୍ଷା ଆଶଙ୍କା । ତେବେ ଲଘୁଚାପର ତୀବ୍ରତାକୁ ନେଇ ଏଯାଏ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ଆଗକୁ ଦଶହରା ଥିବାରୁ ସମ୍ଭାବ୍ୟ ଲଘୁଚାପକୁ ନେଇ ଲୋକଙ୍କ ମନରେ ଆଶଙ୍କା ବଢିଛି ।ମଙ୍ଗଳବାରଠୁ ବର୍ଷାରେ ଭିଜିିବ ପୂର୍ବ ଓଡ଼ିଶା। ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିବ । ବଙ୍ଗୋପସାଗରରୁ ଲଗାତାର ଜଳୀୟ ବାଷ୍ପ ଆସୁଥିଲେ ମଧ୍ୟ କୌଣସି ଶକ୍ତିଶାଳୀ ସିଷ୍ଟମ ନଥିବାରୁ ରାଜ୍ୟରେ ଅତ୍ୟଧିକ ବର୍ଷାର କୌଣସି ସମ୍ଭାବନା ନାହିଁ । ତେବେ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଓ ଗଞ୍ଜାମ ଆଦି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କୁହୁଡ଼ିଆ ପରିବେଶ ଦେଖିବାକୁ ମିଳିପାରେ। ଆସନ୍ତା ୧୬ ତାରିଖ ବେଳକୁ ଆନ୍ଧ୍ର-ତାମିଲନାଡୁ ଉପକୂଳ ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ସ୍ପଷ୍ଟ ଗତିବିଧି ଓ ପ୍ରଭାବ ଆସନ୍ତା ୧୪ ରୁ ୧୫ ତାରିଖ ସୁଦ୍ଧା ଜଣାପଡ଼ିବ ।










