ଭୁବନେଶ୍ବର: ନିଜର ପୂର୍ବ କର୍ମର ସମୀକ୍ଷା ନ କରି ମନ୍ତବ୍ୟ ଦେଉଛନ୍ତି ନବୀନ ପଟ୍ଟନାୟକ। ଏବେ ବିଜେପି ପୂର୍ଣ୍ଣ ବହୁମତ ସହ ସରକାରରେ ରହିଛି। ଲୋକେ ତାଙ୍କୁ କାହିଁକି ପ୍ରତ୍ୟାଖ୍ୟାନ କଲେ ସେକଥା ନଭାବି କି ସମୀକ୍ଷା କରି ବିଜେପି ବିରୁଦ୍ଧରେ ଅମୂଳକ କଥା କହୁଛନ୍ତି ନବୀନ। ଆଜି ଏଭଳି ପ୍ରତିକ୍ରିୟାରେ କହିଛନ୍ତି ବିଜେପି ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ।
ବିରଞ୍ଚି ନାରାୟଣ ତ୍ରିପାଠୀ ଆହୁରି କହିଛନ୍ତି ବିଜେଡି ସରକାର ସମୟରେ ନାରୀ ନିର୍ଯାତନାରେ ଓଡ଼ିଶା ଥିଲା ନମ୍ବର ୱାନ୍। ଠିକ୍ ସେହିପରି ନବୀନ କ୍ଷମତାରେ ଥିବା ବେଳେ ଖଣି ଦୁର୍ନୀତିରେ ବି ଥିଲା ଓଡ଼ିଶା ନମ୍ବର ୱାନ୍। ଖାଲି ସେତିକି ନୁହେଁ, ଚାଷୀ ଓ ଦାଦନ ସମସ୍ୟାରେ ବି ସାରା ଦେଶରେ ଓଡ଼ିଶା ଥିଲା ନମ୍ବର ୱାନ୍। ଏବେ ନବୀନ ବାବୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଣେ ବିଭିନ୍ନ ଘଟଣା ଓ ଦୁର୍ନୀତିର ତଦନ୍ତକୁ ଚାପିବାରେ ବିଜେଡି ସରକାର ଥିଲା ନମ୍ବର ୱାନ୍। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୪ ବର୍ଷ କ୍ଷମତାରେ ରହିବା ପରେ ବି ଓଡ଼ିଶାରେ ଶିଶୁମୃତ୍ୟୁ ହାରକୁ ରୋକିପାରିନଥିଲେ। ଅର୍ଥାତ୍ ନବୀନ ବାବୁଙ୍କ ସମୟରେ ଶିଶୁମୃତ୍ୟୁ ହାରରେ ବି ଓଡ଼ିଶା ଥିଲା ନମ୍ବର ୱାନ୍।ସେ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା। ଏକଥା କ’ ନବୀନ ବାବୁ ଭୁଲିଯାଇଛନ୍ତି? ପ୍ରକୃତ ତଥ୍ୟ ନ ଜାଣି ନବୀନ ପଟ୍ଟନାୟକ, ଯେଉଁ କଥା କହୁଛନ୍ତି ତାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ।ସୂଚନାଯୋଗ୍ୟ, ବିଜେଡିର ଜନସମ୍ପର୍କ ପଦଯାତ୍ରା ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ‘ବିଜେଡି ସରକାରରେ ଓଡ଼ିଶାର ବିକାଶ ଥିଲା ପ୍ରଥମ ଏଜେଣ୍ଡା’।