ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ କକରୋଚ୍ ଜନତା ପାର୍ଟି ବା CJPର ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅଜିଙ୍କ୍ୟ ଶିନ୍ଦେଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହାପରେ ସେମାନଙ୍କୁ ତିହାର ଜେଲ୍କୁ ପଠାଯାଇଥିବା ଜଣାପଡ଼ିଛି।ମଙ୍ଗଳବାର ସକାଳେ ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ଶିନ୍ଦେ ପୋଲିସ ବ୍ୟାରିକେଡ୍ ପାର୍ କରି ଜନ୍ତରମନ୍ତର ଅଞ୍ଚଳକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ସେଠାରେ ସେମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ୍ ଦେଇଥିଲେ। ଏହାପରେ ଦିଲ୍ଲୀ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା।ବୁଧବାର ସକାଳ ପ୍ରାୟ ୮ଟା ସମୟରେ ତିନି ନେତାଙ୍କୁ ଦିଲ୍ଲୀର ମନ୍ଦିର ମାର୍ଗ ଅଞ୍ଚଳରେ ଥିବା ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଶୁଣାଣି ପରେ ସେମାନଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।










