ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ଦେବେ ସରକାର
‘ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ’ଯୋଜନା କାର୍ଯ୍ୟକାରୀ
୨୮.୭୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ
ମୋଟ୍ ୨୮୪.୦୭ କୋଟି ଟଙ୍କାର ବ୍ୟୟ ବରାଦ
ଭୁବନେଶ୍ୱର ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଏଣିକି ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯିବ। ‘ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ’ଯୋଜନା କାର୍ଯ୍ୟକାରୀ ହୋଇଛି। ୨୮.୭୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସରକାର ପାଞ୍ଚ ବର୍ଷରେ ମୋଟ୍ ୨୮୪.୦୭ କୋଟି ଟଙ୍କାର ବ୍ୟୟ କରିବେ। ଏଥିସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ୧୧ଟି ବିଭାଗର ୧୬ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଅନ୍ୟ ସମସ୍ତ ପ୍ରସ୍ତାବର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ୨ଟି,ଶିଳ୍ପ ବିଭାଗର ୧ଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧ଟି, ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ଟି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧ଟି ଏବଂ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି।
ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ’ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଉକ୍ତ ଯୋଜନା ଦ୍ୱାରା ଗୁଣାତ୍ମକ ଶିକ୍ଷାରେ ସମାନ ସୁଯୋଗ ଉପଲବ୍ଧ ହେବ। ଆର୍ôଥକ ଦୁର୍ବଳ ପରିବାରମାନଙ୍କ ଉପରେ ପାଠ୍ୟପୁସ୍ତକ କ୍ରୟଜନିତ ଆର୍ôଥକ ବୋଝ ହ୍ରାସ ପାଇବ। ସରକାରୀ ବିଦ୍ୟାଳୟରେ ନାମଲେଖା ବୃଦ୍ଧି ପାଇବ। ଶିକ୍ଷାଛାଡ଼ ହାର ହ୍ରାସ ସହିତ ପ୍ରାଥମିକରୁ ମାଧ୍ୟମିକ ଶିକ୍ଷାକୁ ଉତ୍ତରଣ ହାର ବୃଦ୍ଧି ପାଇବ। ଯୋଜନାଟି ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଆନୁମାନିକ ୨୮.୭୦ ଲକ୍ଷ ହିତାକାରୀଙ୍କୁ ଅନ୍ତର୍ଭୁକ୍ତ ସହିତ ମୋଟ୍ ୨୮୪.୦୭ କୋଟି ଟଙ୍କାର ବ୍ୟୟ ଧାର୍ଯ୍ୟ କରାଯାଇଛି।
ଶ୍ରୀମତୀ ଗର୍ଗ କହିଛନ୍ତି ଯେ, କାଗଜ କ୍ରୟ, ପାଠ୍ୟପୁସ୍ତକ ମୁଦ୍ରଣ, ପରିବହନ ଏବଂ ବଣ୍ଟନ କାର୍ଯ୍ୟ ଓଡ଼ିଶା ସାଧାରଣ ଆର୍ôଥକ ନିୟମାବଳୀ ପ୍ରଯୁଜ୍ୟ କ୍ରୟ ନିର୍ଦ୍ଦେଶାବଳୀ ଏବଂ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସ୍ୱଚ୍ଛ, ପ୍ରତିଯୋଗିତାମୂଳକ ଏବଂ ମିତବ୍ୟୟୀ ପ୍ରକ୍ରିୟାରେ କରାଯିବ। ହିତାକାରୀଙ୍କ ତଥ୍ୟର କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ବୈଧତା ନିରୂପଣ ପାଇଁ ବିଭାଗ ଏକ ସୁଦୃଢ଼ ବ୍ୟବସ୍ଥା କରିବ। ପ୍ରତ୍ୟେକ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସମସ୍ତ ବିଦ୍ୟାଳୟ ପାଠ୍ୟପୁସ୍ତକ ଯୋଗାଣ ସୁନିଶ୍ଚିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି।










