ଭୁବନେଶ୍ବର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଓ ଧନ୍ଦାମୂଳକ ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ CTTC ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (IHM)ଠାରେ ଆରମ୍ଭ ହୋଇଯାଇଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏହି ପ୍ରଶିକ୍ଷଣର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣରେ ଏଭିଟି (Audio-visual training), ଡିପି (Drone Pilot), କ୍ୟାଟେରିଂ, ରେସ୍ତୋରାଁ ପରିଚାଳନା ଟ୍ରେଡ୍ ର ୧୭୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଛନ୍ତି । ବ୍ୟବହାରିକ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଅକ୍ଟୋବର ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲିବ । ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ବିନିତା ସେନାପତି, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ସିଟିଟିସି ସିନିୟର ମ୍ୟାନେଜର୍ (ଟ୍ରେନିଂ) କେ.ଏମ୍ ରାଜନ୍, ନିର୍ଦ୍ଦେଶାଳୟର ରିସର୍ଚ୍ଚ ଆସିସଟାଣ୍ଟ ଶ୍ରୀମତୀ ସ୍ମିତାରେଖା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ସିଟିଟିସି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀମତୀ ବିନିତା ସେନାପତି ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଧନ୍ଦାମୂଳକ ଶିକ୍ଷା ଦ୍ବାରା କେହି ବେକାରୀ ସମସ୍ୟାର ସମ୍ମୁଖିନ ହେବେ ନାହିଁ । ଏଥିସହ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ ହେବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ବ୍ୟବହାରିକ ଦକ୍ଷତା ବୃଦ୍ଧି ପାଇଥିବା ଓ କୌଣସି ବି ଗୋଟିଏ ଟ୍ରେଡ୍ ରେ ସେମାନେ ଦକ୍ଷ ହୋଇପାରିବେ ବୋଲି ସେ ମତ ବ୍ୟକ୍ତ କରିଛନ୍ତି । ଏଥିସହ ଏହିଭଳି ପ୍ରଶିକ୍ଷଣ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଜ୍ଞାନ ଏବଂ ନିଯୁକ୍ତିଯୋଗ୍ୟ ଦକ୍ଷତା ଉଭୟ ହାସଲ କରିବାରେ ସହାୟତା କରିବ ବୋଲି ସେ କହିଛନ୍ତି ।
ସେହିପରି ଶ୍ରୀ ଜିତେନ୍ଦ୍ର ନାୟକ ଉଚ୍ଚମାନର ବ୍ୟବହାରିକ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ପାଇଁ ସିଟିଟିସି ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ଭଳି ପ୍ରମୁଖ ପ୍ରତିଷ୍ଠାନର ସହଯୋଗକୁ ପ୍ରଶଂସା କରିବା ସହ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିସହ ତାଲିମ୍ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନକୁ ଗୁରୁତ୍ବ ଦେଇଛନ୍ତି । ସିଟିଟିସିର ସିନିୟର୍ ମ୍ୟାନେଜର (ଟ୍ରେନିଂ) ଶ୍ରୀ କେ.ଏମ୍. ରାଜନ, ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ଏକ ଦକ୍ଷ କର୍ମଶକ୍ତି ସୃଷ୍ଟି କରିବାର ରାଜ୍ୟର ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ସିଟିଟିସି ସହଯୋଗ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ସେହିପରି ଆଜି ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟଠାରେ ମଧ୍ୟ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ପୂର୍ବାଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପ୍ରଣବ ପ୍ରକାଶ, ଅଧ୍ୟକ୍ଷ ଶ୍ରୀମତୀ ଶାରଦା ଘୋଷ୍, ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ନିର୍ଦ୍ଦେଶାଳୟର ରିସର୍ଚ୍ଚ ଆସିସଟାଣ୍ଟ ଶ୍ରୀମତୀ ସ୍ମିତାରେଖା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ସିଟିଟିସ ପ୍ରଶିକ୍ଷଣରେ ନଅଟି ଜିଲ୍ଲା- ଅନୁଗୋଳ, ଦେବଗଡ, ଯାଜପୁର, କଟକ, ବାଲେଶ୍ବର, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦ୍ରାପଡା, ପୁରୀ ଜିଲ୍ଲାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଛନ୍ତି । ସେହିପରି IHM ଠାରେ ଭଦ୍ରକ, କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଛନ୍ତି ।










