32.1 C
Bhubaneswar
Sunday, October 11, 2026
Homeଦେଶ ବିଦେଶଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ

ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ

ଜେନେଭା: ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ ବୋଲି ଜାତିସଂଘ ମଞ୍ଚରେ ଭାରତ ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ଜାତିସଂଘ ସାଧାରଣ ପରିଷଦର ପ୍ରଥମ କମିଟି ବୈଠକରେ ପାକିସ୍ତାନ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ନିଜର ‘ରାଇଟ୍ ଅଫ୍ ରିପ୍ଲାଏ’ ଅଧିକାର ବ୍ୟବହାର କରି ଏହାର ଦୃଢ଼ ଜବାବ ଦେଇଛି। ପରମାଣୁ ଅସ୍ତ୍ରକୁ ରାଷ୍ଟ୍ରନୀତି ପରିଚାଳନାର ସାଧାରଣ ଉପକରଣ ଭାବେ ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି। ପରମାଣୁ ଆକ୍ରମଣ ଧମକ ଆମକୁ ଡରାଇ ପାରିବ ନାହିଁ ବୋଲି ଭାରତ କହିଛି।

ଜେନେଭାସ୍ଥିତ ନିରସ୍ତ୍ରୀକରଣ ସମ୍ମିଳନୀରେ ଭାରତର ସ୍ଥାୟୀ ମିଶନର ବରିଷ୍ଠ ପରାମର୍ଶଦାତା ଅନମୋଲ ଶେର ସିଂହ ବେଦୀ କହିଛନ୍ତି, ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଏବଂ ଅଭିନ୍ନ ଅଙ୍ଗ। ଏହାକୁ ନେଇ ପାକିସ୍ତାନର କୌଣସି ହସ୍ତକ୍ଷେପକୁ ଭାରତ ଗ୍ରହଣ କରିବ ନାହିଁ। ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳଗୁଡ଼ିକୁ ତୁରନ୍ତ ଖାଲି କରି ଫେରାଇ ଦେବାକୁ ସେ ଦାବି କରିଛନ୍ତି। ଭାରତ ସବୁବେଳେ ଶାନ୍ତି ଓ ସ୍ଥିରତା ସପକ୍ଷରେ ରହିଆସିଛି। କୌଣସି ପଡ଼ୋଶୀ ଦେଶ ସହ ସଂଘର୍ଷ ଚାହୁଁନାହିଁ, କିନ୍ତୁ ଶାନ୍ତିର ଅର୍ଥ ଦୁର୍ବଳତା ନୁହେଁ। ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ଭାରତ ଉପଯୁକ୍ତ ଜବାବ ଦେବ ବୋଲି ବେଦୀ ସ୍ପଷ୍ଟ କରିଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ।

ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଓ ଏହାକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରାଯିବ ନାହିଁ ବୋଲି ବେଦୀ କହିଛନ୍ତି। ଗତବର୍ଷ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ‘ଅପରେସନ୍ ସିନ୍ଦୂର’ର ଉଦାହରଣ ଦେଇ ଭାରତ ନିଜର ଆତ୍ମରକ୍ଷା ଅଧିକାର ଉପରେ ସେ ଜୋର୍ ଦେଇଛନ୍ତି। ପରମାଣୁ ଧମକ ଦେଇ ସୀମାପାର ଆତଙ୍କବାଦକୁ ସୁରକ୍ଷା ଯୋଗାଇବା ଆଞ୍ଚଳିକ ଶାନ୍ତି ପାଇଁ ବିପଜ୍ଜନକ ବୋଲି ଭାରତ କହିଛି। ଏଭଳି ଦାୟିତ୍ୱହୀନ ଆଚରଣ ଉତ୍ତେଜନା କମାଇବା ପରିବର୍ତ୍ତେ ସଂଘର୍ଷର ଆଶଙ୍କା ବଢ଼ାଇଥାଏ। ତେଣୁ ଶାନ୍ତି ପ୍ରତିଷ୍ଠା ପାଇଁ ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ୱ ଜରୁରୀ ବୋଲି ଭାରତ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking