ଭୁବନେଶ୍ୱର: ଇଣ୍ଡିଆ ବ୍ଲକ ଆହ୍ୱାନରେ ଆଜି ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ଏମଏଲ୍) ଲିବରେଶନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଜାତୀୟତାବାଦୀ କଂଗ୍ରେସ (ଶରଦ ପାୱାର), ରାଷ୍ଟ୍ରୀୟ ଜନତା ଦଳ ଓ ଅନ୍ୟାନ୍ୟ ପାର୍ଟି ପକ୍ଷରୁ ଆଜି ସକାଳରୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବନ୍ଦ ପାଳିତ ହୋଇଯାଇଛି। ଓଡ଼ିଶା ସମେତ ୧୫ରୁ ଊର୍ଦ୍ଧ୍ୱ ଖଣିଜ ସମ୍ପଦ ଭରପୂର ରାଜ୍ୟର ଖଣିଜ ସମ୍ପଦ ଉତ୍ତୋଳନ ଉପରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ କ୍ଷମତା, ଖଣିଜ ଅଞ୍ଚଳର ଭୂ-ସତ୍ତ୍ୱାଧିକାର ଛଡ଼ାଇ ନେଇଥିବା ଏମଏମଡିଆର ସଂଶୋଧନ ଆଇନ ରଦ୍ଦ କର, ମୋଦି-ଶାହାଙ୍କ ବିଜେପିର ଭୋଟ ଚୋରି ଏଜେଣ୍ଟ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବିଳମ୍ବେ ବହିଷ୍କାର କର, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନର ଖଳନାୟକ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବହିଷ୍କାର କର ଓ ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ସହାୟତା ପ୍ରଦାନ ଦାବିରେ ଆହୂତ ଏହି ଓଡ଼ିଶା ବନ୍ଦ ପ୍ରତି ସମଗ୍ର ରାଜ୍ୟରେ ଜନଗଣ ଅଭୂତପୂର୍ବ ସମର୍ଥନ ଦେଇ ସଫଳ କରାଇଥିବାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଇଛି। ସମଗ୍ର ରାଜ୍ୟରେ ହଜାର ହଜାର ଇଣ୍ଡିଆ ବ୍ଲକ ଅନ୍ତର୍ଭୁକ୍ତ ଦଳ ସମୂହ, ବିଭିନ୍ନ ଗଣ ସଙ୍ଗଠନ ଓ ବ୍ୟକ୍ତିବିଶେଷ ସାମିଲ ହୋଇ ଏହି ବନ୍ଦ ପାଳନ କରାଇଥିବାବେଳେ ସମଗ୍ର ଓଡ଼ିଶାବାସୀଙ୍କର ଅଭୂତପୂର୍ବ ସମର୍ଥନରେ ଏହି ଶାନ୍ତିପୂର୍ଣ୍ଣ ବନ୍ଦ ସଫଳ ହୋଇଥିବାବେଳେ ଖଣି ଚୋର, ଭୋଟ ଚୋରି, ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ତଥା ବିପର୍ଯ୍ୟୟ ମୁକାବିଲାରେ ଚରମ ବ୍ୟର୍ଥତା ପ୍ରଦର୍ଶନ କରିଥିବା ବିଜେପି ସରକାର ଜନଗଣଙ୍କ ଐକ୍ୟବଦ୍ଧ ଆନ୍ଦୋଳନ ପ୍ରତି ଭୟଭୀତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଆନ୍ଦୋଳନକାରୀଙ୍କୁ ଗିରଫ କରିଅଛି।
ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ସମେତ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରି ବନ୍ଦ କରାଯାଇଥିଲା। ବ୍ୟବସାୟ, ବାଣିଜ୍ୟ, ଯାନବାହନ ଚଳାଚଳ ବନ୍ଦ ଥିଲା। ଆଜି ସକାଳେ ଭୁବନେଶ୍ୱରର ରେଳଷ୍ଟେସନରେ ବ୍ୟାରିକେଡ ଲଗାଇ ଆନ୍ଦୋଳନକାରୀଙ୍କୁ ରୋକାଯାଇଥିବାବେଳେ ସିପିଆଇ ନେତୃତ୍ୱରେ ରାଜମହଲ, କଳ୍ପନା, ମାଷ୍ଟରକ୍ୟାଣ୍ଟିନ, ଡମଣା, ପଟିଆ ଛକ ଇତ୍ୟାଦିରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସହସମ୍ପାଦକ ଜୟନ୍ତ ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା, ଖୋର୍ଦ୍ଧା ଜିଲ୍ଲା ସହସମ୍ପାଦକ ସୁରେନ୍ଦ୍ର ବେହେରା, ଭୁବନେଶ୍ୱର ଜୋନ ସମ୍ପାଦକ କୈଳାସ ଚନ୍ଦ୍ର ପୁହାଣ, ସହସମ୍ପାଦକ ରାକେଶ କୁମାର ପାତ୍ର ଓ ଶଙ୍କର ବାରିକ, ଜୋନ କମିଟି ସଦସ୍ୟ ଛେତମ୍ବର ଭୋଇ, ଶରତ ସ୍ୱାଇଁ, ସତୀଶ ମିଶ୍ର, ପରମାନନ୍ଦ ବେହେରା, ସତ୍ୟବାଦୀ ବାଘ, ଶଙ୍କର ବେହେରା, ମହିଳା ସମିତିର ବାସନ୍ତୀ ପ୍ରଧାନ, ପ୍ରଣତି ମହାନ୍ତି, ଅର୍ଫାତ୍ ବିବି, ଦେବେନ୍ଦ୍ର ସାହୁ, ନୀଳମଣି ସାହୁ, ସୁରେଶ ମୁଦୁଲି, ଓକିଲ ସୁବାସ ଚନ୍ଦ୍ର ସାହୁ ଓ ସୁନୀଲ ବଟୁ, ଅର୍ଜୁନ ସେଠୀ, ଅଶୋକ ବାରିକ, ରଘୁନାଥ ନାୟକ, ଅନିଲ ପାତ୍ର, ମାନଗୋବିନ୍ଦ ନାୟକ, ବିପିନ ନାୟକ, ଗଜେନ୍ଦ୍ର ନାୟକ, ସବିତା ନାୟକ, ଲାବଣ୍ୟ ପ୍ରଧାନ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇଣ୍ଡିଆ ବ୍ଲକ୍ ଦଳ ସମୂହର ନେତୃତ୍ୱଙ୍କ ସହ ମିଳିତ ଶୋଭାଯାତ୍ରାରେ ସଚିବାଳୟ ଯିବା ରାସ୍ତାରେ ଏହି ଆନ୍ଦୋଳନକାରୀଙ୍କୁ ଗିରଫ କରି ଭୁବନେଶ୍ୱର ପୋଲିସ ଲାଇନରେ ଅଟକ ରଖାଯାଇଥିଲା। ଏହି ବନ୍ଦ ଆନ୍ଦୋଳନରେ ସ୍ୱତଃସ୍ପୂର୍ତ୍ତ ଜନ ସମର୍ଥନରେ ଆତଙ୍କିତ ବିଜେପି ସରକାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ନିନ୍ଦନୀୟ। ଯେ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଚେତାବନୀ ଦେଇଛନ୍ତି।










