ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲିଓଝାଙ୍କୁ ଦୁର୍ବ୍ୟବହାର ଓ ମାରପିଟ ଘଟଣାରେ ତଦନ୍ତ ପାଇଁ ଆଜି ଜାତୀୟ ମାନବାଧିକାର କମିସନର ୩ ଜଣିଆ ପ୍ରତିନିଧି ଦଳ ମହାକାଳପଡ଼ା ଥାନାରେ ପହଞ୍ଚିଛନ୍ତି | ସୂଚନା ଅନୁଯାୟୀ କମିସନଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଏସପି ଇସାମ ସିଂଙ୍କ ନେତୃତ୍ୱରେ ଗୁଗନ ରାମ, ଶଶୀଵାଲା ଶର୍ମାଙ୍କୁ ନେଇ ଗଠିତ ଟିମ ଆଜି ସକାଳ ପ୍ରାୟ ସାଢେ ୯ ଟା ସମୟରେ ମହାକାଳପଡ଼ା ଥାନାରେ ପହଞ୍ଚିଛନ୍ତି | ପରେ ତଦନ୍ତକାରୀ ଟିମ ଘଟଣା ସମ୍ପର୍କରେ ପୁଲିସ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି | ମାମଲାର ଏତଲା, କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି |ସୂଚନାଯୋଗ୍ୟ, ଗତ ଜୁନ ୧୧ ତାରିଖରେ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ବ୍ଲକ କାର୍ଯ୍ୟାଳୟ ଓ ଥାନା ପରିସରରେ ଦୁର୍ବ୍ୟବହାର ଓ ମାଡ଼ ମରାଯାଇଥିବା ଅଭିଯୋଗ ପରେ ଘଟଣା ରାଜ୍ୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟି ଥିଲା | ଏ ନେଇ ଏନଏଚଆରସିରେ ଅଭିଯୋଗ ହେବା ପରେ କମିସନ ଏହାର ତଦନ୍ତ ପାଇଁ ଟିମ ପଠାଇଛନ୍ତି | ଆଜି ଅପରାହ୍ନରେ ଟିମ ପୀଡ଼ିତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି |










