ଅକ୍ଟୋବର ୭ ରେ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସରକାରୀ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଉଚ୍ଚଶିକ୍ଷାନୁଷ୍ଠାନମାନେ ନିଜର ଶିକ୍ଷାନୁଷ୍ଠାନମାନଙ୍କରେ ଅକ୍ଟୋବର ୭ ତାରିଖ ଦିନ ନିର୍ବାଚନକୁ ନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ। ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଆଗ୍ରହୀ ଆଶାୟୀ ମାନେ ନୋମିନେସନ୍ ଦାଖଲ କରିପାରିବେ। ଅକ୍ଟୋବର ୯ ତାରିଖ ଅପରାହ୍ନ ୨ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ନୋମିନେସନ୍ ଯାଞ୍ଚ କରାଯିବ। ଅକ୍ଟୋବର ୯ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ବୈଧ ନୋମିନେସନ୍ ତାଲିକା ପ୍ରକାଶିତ ହେବ।
ଅକ୍ଟୋବର ୧୦ ଦିନ ସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ମଧ୍ୟରେ ଯେଉଁ ପାର୍ଥୀ ନିଜର ନୋମିନେସନ ପ୍ରତ୍ୟାହାର କରିବାକୁ ଚାହୁଁଥିବେ, ସେ ତାହାକୁ ପ୍ରତ୍ୟାହାର କରିପାରିବେ। ଅକ୍ଟୋବର ୧୦ ତାରିଖ ଅପରାହ୍ନ ୩ ଘଟିକାରେ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ଚୂଡାନ୍ତ ପାର୍ଥୀ ତାଲିକା ପ୍ରକାଶିତ ହେବ। ଅକ୍ଟୋବର ୧୪ ତାରିଖରେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ‘Why I Stand For’ ମିଟିଙ୍ଗ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ ତାରିଖ ସକାଳ ୮ ଘଟିକାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ। ଭୋଟିଙ୍ଗ ପରେ ଅକ୍ଟୋବର ୧୫ ତାରିଖ ଦିନ ହିଁ ଭୋଟ ଗଣତି ହେବା ସହ ନିର୍ବାଚନ ଫଳାଫଳ ଘୋଷିତ ହେବ। ଅକ୍ଟୋବର ୧୬ ତାରିଖ ଦିନ ବିଜୟୀ ପ୍ରାର୍ଥୀଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ଓଡ଼ିଶାର ନେତୃତ୍ୱ। ପୂର୍ବ ସରକାରଙ୍କ ଦ୍ୱାରା ଦୀର୍ଘ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବାପରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାରଙ୍କ ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଛାତ୍ର ସଂସଦ ନିର୍ବାଚନର ପୁନଃ ଆରମ୍ଭ କେବଳ ଏକ ନିର୍ବାଚନର ଫେରିବା ନୁହେଁ; ଏହା ଯୁବପିଢ଼ିକୁ ଗଣତନ୍ତ୍ର, ଦାୟିତ୍ୱ ଓ ନେତୃତ୍ୱର ଅନୁଭବ ଦେବାର ଏକ ନୂଆ ଅଧ୍ୟାୟ। ଆଜିର ଯୁବଶକ୍ତିକୁ ଆସନ୍ତାକାଲିର ଦାୟିତ୍ୱବାନ ନେତୃତ୍ୱରେ ପରିଣତ କରିବା ପାଇଁ ଆମେ ସଂକଳ୍ପବଦ୍ଧ, ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।
ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ ହେବା ପରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର, ପିଜି କାଉନସିଲ ଅଧ୍ୟକ୍ଷ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇଥିଲେ।
ବୈଠକରେ ଶ୍ରୀ ଅଗ୍ରୱାଲ ଛାତ୍ର ସଂସଦ ନିର୍ବାଚନର ସମୟ ସାରଣୀ ଉପରେ ସମ୍ୟକ୍ ବିବିରଣୀ ଦେବା ସହ ନିର୍ବାଚନର ନିୟମାବଳୀ ସମ୍ବନ୍ଧରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଓ ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ଅବଗତ କରାଇଥିଲେ।
ଛାତ୍ର ସଂସଦ ନିର୍ବାଚନର ନିୟମାବଳୀ
1. ୟୁଜି ଓ ପିଜି ପାଠ୍ୟକ୍ରମରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। (ପାର୍ଥୀ ହୋଇପାରିବେ, ଭୋଟ୍ ମଧ୍ୟ ଦେଇପାରିବେ)
2. ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ (ପ୍ରାର୍ଥୀ ହେବା ପାଇଁ, ଭୋଟ୍ ଦେବା ପାଇଁ) ଛାତ୍ରଛାତ୍ରୀମାନଙ୍କର SAMS ID ଥିବା ଆବଶ୍ୟକ।
3. Distance Education ବା PPP Mode ରେ ସେଲ୍ଫ ଫାଇନାନସିଂ ପାଠ୍ୟକ୍ରମରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ। (ପାର୍ଥୀ ହୋଇପାରିବେ ନାହିଁ, ଭୋଟ୍ ମଧ୍ୟ ଦେଇପାରିବେ ନାହିଁ)
4. SAMS ମାଧ୍ୟମରେ ସେଲ୍ଫ ଫାଇନାନସିଂ ପାଠ୍ୟକ୍ରମରେ ନାମ ଲେଖାଇଥିବା ଓ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। (ପ୍ରାର୍ଥୀ ହୋଇପାରିବେ, ଭୋଟ୍ ମଧ୍ୟ ଦେଇପାରିବେ)
5. ଛାତ୍ର ସଂସଦ ନିର୍ବାଚନ ପାଇଁ ପାର୍ଥୀଙ୍କ ବୟସସୀମା :
(କ) ୟୁଜି ପାଠ୍ୟକ୍ରମ – (ଛାତ୍ର/ଛାତ୍ରୀ)- ୧୭ରୁ ୨୨ ବର୍ଷ
(ଖ) ପିଜି ପାଠ୍ୟକ୍ରମ – (ଛାତ୍ର/ଛାତ୍ରୀ) – ସର୍ବାଧିକ ୨୫ବର୍ଷ।
4. ପାର୍ଥୀ ହେବା ପାଇଁ ଛାତ୍ର/ଛାତ୍ରୀଙ୍କ ଶ୍ରେଣୀଗୃହ ଉପସ୍ଥାନ ସର୍ବନିମ୍ନ ୭୫% ରହିବା ଆବଶ୍ୟକ।
5. ପାର୍ଥୀ ହେବା ପାଇଁ ଛାତ୍ର/ଛାତ୍ରୀଙ୍କର କୌଣସି କ୍ରିମିନାଲ୍ ରେକର୍ଡ଼ ନ ଥିବା ଆବଶ୍ୟକ।
6. ଛାତ୍ର ସଂସଦ ନିର୍ବାଚନରେ ପ୍ରଚାର ପାଇଁ ଜଣେ ପାର୍ଥୀ ପିଛା ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ ହେବ।
7. ନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ସପ୍ତାହ ମଧ୍ୟରେ ପ୍ରତ୍ୟେକ ପାର୍ଥୀ ନିଜର ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ ଖର୍ଚ୍ଚ ପ୍ରମାଣପତ୍ର ମହାବିଦ୍ୟାଳୟ / ବିଶ୍ୱ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ କରିବେ। ଏହାପରେ ମହାବିଦ୍ୟାଳୟ / ବିଶ୍ୱ ବିଦ୍ୟାଳୟ ଏହି ଖର୍ଚ୍ଚ ପ୍ରମାଣପତ୍ରକୁ HIMS ପୋର୍ଟାଲରେ ଅପଲୋଡ଼ କରିବେ।
8. ମହାବିଦ୍ୟାଳୟ / ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପାର୍ଥୀମାନଙ୍କର ନୋମିନେସନ୍ ତାଲିକା, ଯାଞ୍ଚପରେ ପ୍ରସ୍ତୁତ ହୋଇଥିବା ବୈଧ ନୋମିନେସନ୍ ତାଲିକା, ନୋମିନେସନ୍ ପ୍ରତ୍ୟାହାର ସମ୍ବନ୍ଧୀୟ ତଥ୍ୟ, ଚୂଡ଼ାନ୍ତ ନୋମିନେସନ୍ ତାଲିକା, ଭୋଟ୍ ଗଣତି ପରେ ବିଜୟୀ ପାର୍ଥୀଙ୍କ ଇଲେକ୍ସନ ସାର୍ଟିଫିକେଟ ଆଦି ସମସ୍ତ ତଥ୍ୟ ଉଚ୍ଚଶିକ୍ଷା ବିଭାଗର HIMS ପୋର୍ଟାଲରେ ଅପଲୋଡ଼ କରିବେ।
9. ଛାତ୍ର ସଂସଦ ନିର୍ବାଚନ ପ୍ରଚାର ସମୟରେ ସୋସିଆଲ୍ / ଡିଜିଟାଲ୍ ମିଡ଼ିଆରେ ଅଶାଳୀନ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ। False, Misleading, Manipulated or AI Generated Fake Content ବ୍ୟବହାର କରାଯିବ ନାହିଁ।
10. କ୍ୟାମ୍ପସ ମଧ୍ୟରେ Procession / Public Meeting କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ଆବଶ୍ୟକ।
11. ପାର୍ଥୀମାନେ ପ୍ରଚାର ପାଇଁ ହାତ ତିଆରି ପୋଷ୍ଟର ବ୍ୟବହାର କରିପାରିବେ।
12. ଛାତ୍ର ସଂସଦ ନିର୍ବାଚନରେ ଅଣଛାତ୍ରମାନଙ୍କର କୌଣସି ପ୍ରକାର ଅଂଶଗ୍ରହଣ ସମ୍ପୂର୍ଣ୍ଣ ରୂପେ ନିଷେଧ।
13. ଭୋଟିଙ୍ଗ ସରିବା ସମୟର ୨୪ ଘଣ୍ଟା ପୂର୍ବରୁ (ଅର୍ଥାତ୍ ଅକ୍ଟୋବର ୧୪ ଦିବା ୨ ଘଟିକାରୁ ଅକ୍ଟୋବର ୧୫ ଦିବା ୨ ଘଟିକା ପର୍ଯ୍ୟନ୍ତ) ନିର୍ବାଚନ ପ୍ରଚାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ।
14. ବିଶ୍ୱ ବିଦ୍ୟାଳୟ/ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯଥା ନିର୍ବାଚନର ସ୍ଥାନ, ନିର୍ବାଚନର ନିୟମାବଳୀ ଓ ସମସ୍ତ ଆନୁଷଙ୍ଗିକ ବିବରଣୀ ଅକ୍ଟୋବର ୭ ତାରିଖ ଦିନ ନିଜର ବିଜ୍ଞପ୍ତିରେ ପ୍ରକାଶ କରିବେ।
15. ଛାତ୍ର ସଂସଦ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନରେ Dean (Student Welfare) କିମ୍ବା Teacher In Charge of Student affairs ଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବ। କମିଟିରେ Dean (Student Welfare) କିମ୍ବା Teacher In Charge of Student affairs ଙ୍କ ସମେତ ଜଣେ ଅଧ୍ୟାପକ (faculty), ଜଣେ Admin (ପ୍ରଶାସକ -ବରିଷ୍ଠ ଅଧିକାରୀ) ଏବଂ ଶେଷ ବର୍ଷର ଜଣେ ଛାତ୍ର ଓ ଜଣେ ଛାତ୍ରୀ ରହିବେ।
16. ନିର୍ବାଚନ ଫଳାଫଳ ଘୋଷଣାର ୪୮ଘଣ୍ଟା ମଧ୍ୟରେ ପୋଲିଙ୍ଗ ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ସଫା କରାଯିବ।
17. ଛାତ୍ର ସଂସଦ ନିର୍ବାଚନର ସମସ୍ତ ପ୍ରକ୍ରିୟା ଲିଙ୍ଗଡୋ କମିଶନଙ୍କ ରିପୋର୍ଟ ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ଆଧାରରେ କରାଯିବ।
ଆଜିର ବୈଠକରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଓ ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ କମିଟି ଗଠନ, ବ୍ୟାଲଟ୍ ପେପର ଓ ବ୍ୟାଲଟ୍ ବକ୍ସ ପ୍ରସ୍ତୁତ କରିବା ଏବଂ ନିର୍ବାଚନର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏଥିସହ କ୍ୟାମ୍ପସ୍ରେ ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମତପ୍ରକାଶ କରିଥିଲେ। ଆଜିର ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଶ୍ରୀ ଧରଣୀଧର ନନ୍ଦ, ଶ୍ରୀମତୀ ପ୍ରତିଭା ସାହୁ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମୌସୁମୀ ନାୟକ, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀମତୀ ସୁଜାତା ନାୟକ, ଶ୍ରୀ ଅଶୋକ କୁମାର ଗୌଡ଼ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।










