ଏସଆଇଆର ପ୍ରକି୍ରୟାରେ ଫର୍ମ ୬ରେ ପରିବର୍ତ୍ତନ ପ୍ରସଙ୍ଗ
ବିଜେପିକୁ ଜିତାଇବା ପାଇଁ ସୁପି୍ରମକୋର୍ଟରେ ମିଥ୍ୟାର ସାହାରା ନେଇଥିଲେ ମୁଖ୍ୟ ନିର୍ବାଚନ କମିଶନର
ସାମ୍ବିଧାନିକ ପଦବୀରେ ରହି ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର
ଗତ ନିର୍ବାଚନରେ ଅଧିକ ଭୋଟ ପାଇ ବିଜେଡି ହାରିବା ପଛରେ ଇଭିଏମ ଟ୍ୟାମ୍ପରିଂ
ଭୁବନେଶ୍ୱର: ଆଜି ସୁପି୍ରମକୋର୍ଟର ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି ଯେ, ଏସ୍ଆଇଆର ପ୍ରକି୍ରୟାରେ ଫର୍ମ ୬ରେ ସଂଶୋଧନ କରିବାର କ୍ଷମତା ନିର୍ବାଚନ ଆୟୋଗଙ୍କ ପରିସରଭୁକ୍ତ ନୁହେଁ । ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜରିଆରେ ସୁପ୍ରିମକୋର୍ଟଙ୍କ ଅନୁମତିରେ ଫର୍ମ ୬ରେ ପରିବର୍ତ୍ତନ ହୋଇଛି ବୋଲି ଯେଉଁ ସଫେଇ ଦେଇଥିଲେ, ସୁପି୍ରମକୋର୍ଟ ଆଜି ତାକୁ ଖଣ୍ଡନ କରିଥିବାରୁ ଏହାକୁ ନେଇ ବିଜେଡି କଡ଼ା ସମାଲୋଚନା କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ଓ ବିଜେପି ସରକାର ଉପରେ ବର୍ଷିଥିଲେ । ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ଏସ୍ଆଇଆର ପ୍ରକି୍ରୟାରେ ପୂରା ଭାରତବର୍ଷରେ ୧୩ କୋଟି ଭୋଟରଙ୍କୁ ବାଦ୍ ଦିଆଗଲା । ସେହିପରି ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମକୁ ମନମୁଖୀ ଭାବେ ବାଦ୍ ଦିଆଗଲା । ଭାରତୀୟ ଜନତା ପାର୍ଟିକୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ଆଇଟି ବିଭାଗର ମୁଖ୍ୟ ସୀମା ଖାନ୍ନା ଇସିଆଇ ନେଟ୍ ଜରିଆରେ ଭୋଟର ମାନଙ୍କ ନାମକୁ ଅନୈତିକ ଭାବେ ତାଲିକାରୁ କାଟିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଇସିଆଇ ନେଟ୍ ଓ ଫର୍ମ ୬ରେ ଯେଉଁ ପରିବର୍ତ୍ତନ କରାଯାଇଛି, ସେଥିରେ ସୁପି୍ରମକୋର୍ଟଙ୍କ ଅନୁମତି ରହିଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ମୁଖ୍ୟ ନିର୍ବାଚନ କମିଶନର ଦେଇଥିବା ସ୍ପଷ୍ଟୀକରଣକୁ ଆଜି ସୁପି୍ରମକୋର୍ଟର ମୁଖ୍ୟ ବିଚାରପତି ଖଣ୍ଡନ କରିଛନ୍ତି । ଏଥିସହିତ ଭାରତ ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମୁଖ୍ୟ ନିର୍ବାଚନ କମିଶନର ସାମ୍ବିଧାନିକ ପଦବୀରେ ରହି ଭାରତୀୟ ଜନତା ପାର୍ଟିକୁ ନିର୍ବାଚନରେ ଜିତାଇବା ପାଇଁ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ସାମ୍ବିଧାନିକ ସଂସ୍ଥା ଭାରତୀୟ ନିର୍ବାଚନ କମିଶନଙ୍କ ଦମ୍ଭୋକ୍ତି ଉପରେ ଆଜି ସୁପି୍ରମକୋର୍ଟ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ଏହା ପ୍ରମାଣ କରୁଛି ଯେ ୨୬ ସେପ୍ଟେମ୍ବର, ୨୦୨୬ରେ ନିର୍ବାଚନ କମିଶନର ଯେଉଁ ପ୍ରେସ ବିଜ୍ଞପ୍ତି ଦେଇଥିଲେ, ତାହା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ । ମାନନୀୟ ସୁପି୍ରମକୋର୍ଟଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ନିର୍ବାଚନ କମିଶନର ଡାହା ମିଛ କହିଥିଲେ । ୨୦୨୪ ନିର୍ବାଚନରେ ମୁଖ୍ୟ ନିର୍ବାଚନ କମିଶନର ଇଭିଏମ୍ ଟ୍ୟାମ୍ପରିଂ କରି ଏକପାଖିଆ ଭାବେ ବିଜେପିକୁ ଜିତାଇଛନ୍ତି । ରାଜ୍ୟରେ ଚାଲିଥିବା ସରକାର ଏକ ଭୋଟ ଚୋରିର ସରକାର । ଇସିଆଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ନେଇ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରିଥିଲେ । ସାମ୍ବିଧାନିକ ସଂସ୍ଥା ନିର୍ବାଚନ କମିଶନଙ୍କ ଉପରୁ ଲୋକଙ୍କ ଭରସା ତୁଟିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ।










