33.1 C
Bhubaneswar
Monday, October 5, 2026
Homeଓଡିଶାପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣା; ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାର...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣା; ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାର ଦାୟୀ: ବିଜେଡି

ଭୁବନେଶ୍ୱର : ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ସାଧାରଣ ଜନତାଙ୍କ ଠାରୁ ଜନ ପ୍ରତିନିଧି ସମସ୍ତେ ଅସୁରକ୍ଷିତ । ଏ ସମସ୍ତ ଘଟଣା ଧର୍ମଶାଳା ବିଧାୟକଙ୍କ ଇଙ୍ଗିତରେ ସଂଗଠିତ ହେଉଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଂଜୟ ଦାସବର୍ମା ଓ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ବିଜେପି ସରକାରରେ ରାଜ୍ୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ମଧୁପୁର ଗ୍ରାମ ପଞ୍ଚାୟତର ପନ୍ତୁରି ଗାଁରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ସମୟରେ ବିଜେପି କର୍ମକର୍ତ୍ତା ମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ । ବିଜେପି ସମର୍ଥକ ମାନେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ କରି ଭାଙ୍ଗିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । କେଉଁ ସାହସରେ ବାରମ୍ବାର ଆକ୍ରମଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସରକାରକୁ ଆସିବା ଦିନଠାରୁ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଧର୍ମଶାଳାରେ ବାରମ୍ବାର ଆକ୍ରମଣ ଘଟଣା ସହ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଡବଲ ଇଞ୍ଜିନ ସରକାରରେ ରାଜ୍ୟ ସମେତ ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏହିପରି ଘଟଣା ବାରମ୍ବାର ଘଟିବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ଚରମ ସୀମାକୁ ପହଞ୍ଚିଛି । ରାଜ୍ୟବାସୀ ମଧ୍ୟ ଏନେଇ ଅତିଷ୍ଠ ହୋଇ ପଡିଛନ୍ତି । ୪ ଅକ୍ଟୋବରରେ ଶାନ୍ତିପୂର୍ଣ୍ଣ ବିଜେଡି ଜନସମ୍ପର୍କ ପଦଯାତ୍ରା ସମୟରେ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ବିଜେଡି କର୍ମୀ ମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । ପ୍ରାୟ ୫୦ ଜଣରୁ ଅଧିକ ସଶସ୍ତ୍ର ବ୍ୟକ୍ତି ସଙ୍ଗବଦ୍ଧ ଭାବେ ପୂର୍ବ ଯୋଜନା ମୁତାବକ ଆକ୍ରମଣ କରିଥିଲେ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହିପରି ଘଟଣା ବାରମ୍ବାର ଘଟିବା ଅତି ନିନ୍ଦନୀୟ । ବିଜେପି ସରକାରରେ ଧର୍ମଶାଳାରେ ଖଣି ମାଫିଆ, ଡ୍ରଗ୍ସ ମାଫିଆଙ୍କ ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଛି । ମାଫିଆମାନଙ୍କ ଲିଙ୍କରେ କୋଟି କୋଟି ଟଙ୍କାର ଉତ୍ସ ଧର୍ମଶାଳାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚେର ଲମ୍ବିଛି । ଯାହା ଫଳରେ ଧର୍ମଶାଳା ପୋଲିସ ନିରପେକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁନାହାନ୍ତି । ପୋଲିସ ଉପସ୍ଥିତିରେ ଆକ୍ରମଣ ହୋଇଛି । ଆକ୍ରମଣ ନେଇ ଅଭିଯୋଗ ପରେ ବି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପଦକ୍ଷେପ ଗ୍ରହଣ କରିଲେ ନାହିଁ । ଜେନାପୁର ଥାନା ଅଧିକାରୀଙ୍କ କାର୍ଯ୍ୟକଳାପ ମଧ୍ୟ ସନେ୍ଦହ ଘେରରେ ରହିଛି । ଉକ୍ତ ଅଞ୍ଚଳରେ ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଥାନା ଅଧିକାରୀ ଚୁପ୍ ରହିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଥାନା ଅଧିକାରୀ କେଉଁ ଅଦୃଶ୍ୟ ଚାପଗ୍ରସ୍ତ ହୋଇ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଧର୍ମଶାଳାରେ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହିଛି । କିନ୍ତୁ ଏହା ସତ୍ତ୍ୱେ ବି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେବେ ଏଥି ପାଇଁ ସେ ଉତ୍ତର ଦାୟୀ । ବିଜେଡି ଶାସନ କାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟରେ ଅପରାଧିକ ପୃଷ୍ଠଭୂମିକୁ ପ୍ରଶୟ ଦେଉନଥିଲେ । କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିଲେ । କିନ୍ତୁ ଗତ ଅଢେଇ ବର୍ଷରେ ଲଗାମ୍ ଛଡ଼ା ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଯାହା ଫଳରେ ଶାନ୍ତି ପ୍ରିୟ ଓଡ଼ିଶା ବାସୀ ଅତିଷ୍ଠ ହୋଇ ପଡିଛନ୍ତି । ଯାଜପୁର ଜିଲ୍ଲାରେ ଖଣି ମାଫିଆ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିଲେ ସୁଦ୍ଧା ଏସପିଙ୍କ ଆଭିମୁଖ୍ୟ ସନେ୍ଦହ ସୃଷ୍ଟି କରିଛି । ଜେନାପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆକ୍ରମଣକାରୀ ମାନଙ୍କୁ ତୁରନ୍ତ ଗିରଫ କରନ୍ତୁ ନଚେତ ବିଜେଡି ଆଗାମୀ ଦିନରେ ଜୋରଦାର ଜବାବ ଦେବ ।ସେହିପରି ବିଧାୟକ କ୍ୟାପଟେନ୍ ମିଶ୍ର କହିଛନ୍ତି ଯେ, ଧର୍ମଶାଳାରେ ବାରମ୍ବାର ଅପରାଧିକ କାର୍ଯ୍ୟକଳାପ ଘଟୁଛି । ଯାହା ଦ୍ୱାରା ପ୍ରଜାତନ୍ତ୍ରକୁ ହତ୍ୟା କରି ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଷଡ଼ଯନ୍ତ୍ର କରି ବାରମ୍ୱାର ଆକ୍ରମଣ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ ରହିଛି । ତେବେ ଗୋଟିଏ ସ୍ଥାନରେ ବାରମ୍ୱାର ଏହିପରି ଅପରାଧ ଘଟିବା କାରଣ ନେଇ ବିଭାଗୀୟ ତଦନ୍ତ ମୁଖ୍ୟମନ୍ତ୍ରୀ କାହିଁକି କରାଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ହେଉଛି, ରାଜ୍ୟର ପରିଚୟ । ଯାହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ପ୍ରଦାନ କରୁଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ସରକାରରେ ପ୍ରତି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଚରମ ସୀମାରେ ପହଞ୍ଚି ଯାଇଛି । ପ୍ରତି ଥାନାରେ ମାଳ ମାଳ ଅଭିଯୋଗ ହେଉଛି । ଅପରାଧୀମାନଙ୍କ ଆଇନ ଓ ପ୍ରଶାସନ ପ୍ରତି ଭୟ ନାହିଁ ବୋଲି ଖୁଲମଖୁଲା ଭାବେ ଚର୍ଚ୍ଚା ହେଉଛି । ଏହାଦ୍ୱାରା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ବାରମ୍ବାର ନିନ୍ଦିତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଏନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ଥିବା ବେଳେ ଚୁପ୍ ରହିଛନ୍ତି । ଜେନାପୁର ଥାନା ଅଧିକାରୀଙ୍କ କାର୍ଯ୍ୟକଳାପ ସନେ୍ଦହ ଘେରରେ ଥିବା ବେଳେ ତାହାଙ୍କୁ ତୁରନ୍ତ ସେଠାରୁ ଅନ୍ୟତ୍ର ବଦଳି କରାଯାଉ । ଏନେଇ ପଦକ୍ଷେପ ଗ୍ରହଣ ନକରିଲେ ବିଜେଡ଼ି ପକ୍ଷରୁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି । ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାରେ ସଶସ୍ତ୍ର ଭାବେ ସଂଘବଦ୍ଧ ଆକ୍ରମଣ କରିବା ଅତି ନିନ୍ଦନୀୟ । ରାଜ୍ୟ ସରକାର ସବୁ ଜାଣି ଚୁପ ନରହି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜଣେ ପୂର୍ବତନ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ ଜାଣିଶୁଣି ବିଜେପି ସରକାର ପ୍ରୋତ୍ସାହିତ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking